ଆଜି ଠୁ କଂସ ମହାରାଜଙ୍କ ରାଜୁତି

ବରଗଡ – ଆଜିଠୁ ଦୁଲୁକିବ ବରଗଡ । ଆରମ୍ଭ ହେବ କଂସ ମହାରାଜଙ୍କ ରାଜୁତି । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ପୁରା ବରଗଡ ସହରକୁ ଆକର୍ଷଣୀୟ ତୋରଣ ସହିତ ରଙ୍ଗୀନ ଆଲୋକମାଳାରେ ସଜାଯାଇଛି ।

ଅପରାହ୍ନ ୨ଟାରୁ ବରଗଡ ଗାନ୍ଧୀ ଛକ ଠାରୁ ଧନୁଯାତ୍ରାକୁ ସ୍ୱାଗତ କରିବ ଏକ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ । ଏହାକୁ ଜିଲ୍ଲାପାଳ ଉଦଘାଟନ କରିବେ । ଏହି ଶୋଭାଯାତ୍ରା ସମଲେଶ୍ୱରୀ ମନ୍ଦିରକୁ ଯିବ । ସଂଧ୍ୟା ୭ଟାରେ ସମଲେଶ୍ୱରୀ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଧନୁଯାତ୍ରାର କଳାକାରମାନେ କମିଟି ସଦସ୍ୟଙ୍କ ସହ ହାଟପଦା ପଡିଆ ସ୍ଥିତ ରାଜ ଦରବାରରେ ପହଂଚିବେ । ସେଠାରେ ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ଓ ସ୍ଥାନୀୟ ସାଂସଦ ଧନୁଯାତ୍ରା ୨୦୧୮କୁ ଉଦଘାଟନ କରିବେ ।

ଏହାପରେ ପ୍ରଥମ ଦିନର କାର୍ଯ୍ୟକ୍ରମ ନାଟକ ମାଧ୍ୟମରେ ପ୍ରଦର୍ଶିତ ହେବ । ଧନୁଯାତ୍ରା ପାଇଁ ବରଗଡ ପାଲିଟି ମଥୁରାନଗରୀ ଓ ଗୋପପୁର ହୋଇଛି ଅମ୍ବାପାଲି । ଆଜିଠୁ ମଥୁରାରେ କଂସ ମହାରାଜ ରାଜୁତି ଚଳାଇବେ । ସେହିଭଳି ଆମ୍ବପଲିରେ କୃଷ୍ଣଲୀଳା ଚାଲିବ । ହାଟପଦା ପଡିଆରେ କଂସ ଦରବାର ଓ ନିଶାମଣୀ ପଡିଆରେ ରଙ୍ଗମହଲ ନିର୍ମାଣ ହୋଇଛି ।

Related Posts