କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ କୁସ୍ତିଯୋଦ୍ଧାଙ୍କ ବୈଠକ; ସରକାରଙ୍କ ଆଗରେ ରଖିଲେ ୫ ଦାବି, ଜୁନ୍‌ ୧୫ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,୮/୬(ସତ୍ୟପାଠ ବ୍ୟୁରୋ):ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜଭୂଷଣ ସିଂହ ଗିରଫ ନହେବା ପର୍ଯ୍ୟନ୍ତ କୁସ୍ତିଯୋଦ୍ଧାମା‌ନେ ସେମାନଙ୍କ ଆନ୍ଦୋଳନ ଜାରି ରଖିବେ ବୋଲି ଅଡି ବସିଥିବା ବେଳେ ସରକାର କୁସ୍ତିଯୋଦ୍ଧାଙ୍କୁ ବୁଝାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ବୁଧବାର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏବଂ ଆନ୍ଦୋଳନରତ ପ୍ରମୁଖ କୁସ୍ତିଯୋଦ୍ଧାଙ୍କ ମଧ୍ୟରେ ଏକ ଗୁରୂତ୍ବପୂର୍ଣ୍ଣ ବୈଠକ ହୋଇଥିଲା। କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକଙ୍କ ସମେତ ଅନ୍ୟମାନେ ଆଜି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ ତାଙ୍କ ବାସଭବନରେ କଥା ହୋଇଛନ୍ତି। ତେବେ ଆନ୍ଦୋଳନର ଅନ୍ୟ ଜଣେ ପ୍ରମୁଖ ଚେହେରା ବିନେଶ ଫୋଗଟ ଏହି ବୈଠକ‌ରେ ଯୋଗ ଦେଇନାହାନ୍ତି। କୁସ୍ତିଯୋଦ୍ଧାମାନେ ମନ୍ତ୍ରୀଙ୍କ ସହ ୫ ଘଣ୍ଟା କଥାବାର୍ତ୍ତା କରିଛନ୍ତି। ୫ ଘଣ୍ଟାର କଥାବାର୍ତ୍ତା ପରେ କୁସ୍ତିଯୋଦ୍ଧାମାନେ ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି।

ଜୁନ୍‌ ୧୫ ସୁଦ୍ଧା ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ତଦନ୍ତ ଶେଷ ହେବ ବୋଲି କ୍ରୀଡ଼ା ମନ୍ତ୍ରୀ ପ୍ରତିଶ୍ରୁତି ଦେବାପରେ କୁସ୍ତିଯୋଦ୍ଧା ଜୁନ୍‌ ୧୫ ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ସ୍ଥଗିତ କରିଛନ୍ତି। କିନ୍ତୁ ବ୍ରିଜଭୂଷଣ ସିଂହଙ୍କ ଗିରଫ ପ୍ରସଙ୍ଗରେ ମନ୍ତ୍ରୀ କିଛି ସ୍ପଷ୍ଟ କରିନାହାନ୍ତି। କୁସ୍ତିଯୋଦ୍ଧମାନେ ଏହି ବୈଠକରେ ମନ୍ତ୍ରୀଙ୍କ ନିକଟରେ ୫ ପ୍ରମୁଖ ଦାବି ରଖିଥିଲେ। ଏହି ୫ଟି ଦାବି ହେଉଛି ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ଜଣେ ମହିଳା ରହିବା ଉଚିତ । ଡବ୍ଲ୍ୟୁଏଫ୍‌ଆଇରେ ସ୍ବଚ୍ଛ ଏବଂ ଅବାଧ ନିର୍ବାଚନ ହେବା ଉଚିତ। ପୂର୍ବତନ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜଭୂଷଣ ସିଂହ ଏବଂ ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲ୍ୟୁଏଫ୍‌ଆଇରେ ରହିପାରିବେନି। ଗତମାସରେ ନୂଆ ସଂସଦ ଭବନ ଉଦ୍‌ଘାଟନ ସମୟରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପାଇଁ ସେମାନଙ୍କ ବିରୋଧରେ ପୁଲିସରେ ରୁଜୁ ହୋଇଥିବା‌ ମାମଲା ରଦ୍ଦ ହେବ। ବ୍ରିଜଭୂଷଣ ସିଂହଙ୍କୁ ଗିରଫ କରିବାପାଇଁ ସେମାନେ ସେମାନଙ୍କ ଦାବି ଦୋହରାଇଛନ୍ତି।

ତେବେ ଗତ ୫ ଦିନ ମଧ୍ୟରେ କୁସ୍ତିଯୋଦ୍ଧା ଏବଂ ସରକାରଙ୍କ ମଧ୍ୟରେ ଏହା ଦ୍ବିତୀୟ ବୈଠକ ଅଟେ। ଗତ ଶନିବାର ରାତିରେ କୁସ୍ତିଯୋଦ୍ଧାମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେମାନେ ଶାହଙ୍କ ସହ ଆଲୋଚନା କରିଥିଲେ।

ମିଳିଥିବା ସୂଚନାନୁଯାୟୀ, ମନ୍ତ୍ରୀ କୁସ୍ତିଯୋଦ୍ଧାଙ୍କ ଅଧିକାଂଶ ଦାବିକୁ ଗ୍ରହଣ କରିନେଇଛନ୍ତି। ବ୍ରିଜ ଭୂଷଣ ଏବଂ ତାଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ ଭାରତୀୟ କୁସ୍ତି ମହାସଂଘର ଆଭ୍ୟନ୍ତରୀଣ କମିଟି ସଦସ୍ୟ ରହିବେ ନାହିଁ। ଡବ୍ଲ୍ୟୁଏଫ୍‌ଆଇର ମୁଖ୍ୟ ଜଣେ ମହିଳା ରହିବେ। ସେହିପରି ମେ’ ୨୮ ତାରିଖରେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ରଦ୍ଦ ହେବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।

Related Posts