ଟି-୨୦ ବିଶ୍ଵ କପ୍ ଖେଳିବେ ନାହିଁ ଯଶପ୍ରୀତ ବୁମରା

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ରୁ ବାଦ୍ ପଡିଲେ ଭାରତର ମୁଖ୍ୟ ବୋଲର ଯଶପ୍ରୀତ ବୁମରା । ସେ ଟି-୨୦ ବିଶ୍ଵ କପ୍ ଖେଳିବେ ନାହିଁ। ବୁମରା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି।

ଏନେଇ ସୋମବାର ବିସିସିଆଇ ଟୁଇଟ୍ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି। ଫଳରେ ଭାରତର ବିଶ୍ଵ କପ୍ ଅଭିଯାନକୁ ଜୋରଦାର ଝଟକା ଲାଗିଛି।

ଡାକ୍ତରୀ ଦଳଙ୍କ ରିପୋର୍ଟ ଆଧାରରେ ବିସିସିଆଇ ସଂପାଦକ ଜୟ ଶାହ କହିଛନ୍ତି ଯଶପ୍ରୀତ ବୁମରା ଆଇସିସି ପୁରୁଷ ଟି-୨୦ ବିଶ୍ଵ କପ୍ ଦଳରୁ ବାଦ୍ ପଡିଛନ୍ତି। ଦଳ କହିଛି, ଏହି କଠୋର ନିଷ୍ପତ୍ତି ବିସ୍ତୃତ ମୂଲ୍ୟାଙ୍କନ ଏବଂ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନିଆଯାଇଛି। ବିସିସିଆଇ ଶୀଘ୍ର ବୁମରାଙ୍କ ବଦଳ ଖେଳାଳି ଘୋଷଣା କରିବ।

ଆହତଜନିତ ସମସ୍ୟାରୁ ମୁକୁଳିବା ପରେ ଯଶପ୍ରୀତ ବୁମରା ଅଷ୍ଟ୍ରେଲିଆ ସିରିଜ୍‌ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସଂପୂର୍ଣ୍ଣ ଫିଟ୍ ହୋଇନଥିବାରୁ ପ୍ରଥମ ମ୍ୟାଚ୍ ଖେଳି ପାରିନଥିଲେ। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦୁଇଟି ମ୍ୟାଚ୍ ଖେଳିଥିଲେ ହେଁ ଦକ୍ଷିଣ ଆଫ୍ରିକ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିନଥିଲେ। ପରେ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ୍ ପଡିବା ପରେ ଏବେ ଟି-୨୦ ବିଶ୍ଵ କପ୍‌ରୁ ବାଦ୍ ପଡିଛନ୍ତି ଦଳର ମୁଖ୍ୟ ବୋଲର ବୁମରା।

ଏହା ପୂର୍ବରୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବ୍ୟତୀତ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ମଧ୍ୟ ଆଶା ରଖିଥିଲେ ଯେ, ବିଶ୍ଵ କପ୍ ଆରମ୍ଭ ହେବା ପୂର୍ବରୁ ବୁମରା ଫିଟ୍ ହୋଇଯିବେ। ବିସିସିଆଇର ଡାକ୍ତରୀ ଦଳ ବୁମରାଙ୍କ ନିୟମିତ ଯାଞ୍ଚ କରୁଥିଲେ। ମାତ୍ର ସୋମବାର ବିସିସିଆଇ ଟୁଇଟ୍ କରି ସ୍ପଷ୍ଟ କରିଛି ଯେ, ବୁମରା ବିଶ୍ଵ କପ୍ ଖେଳିବେ ନାହିଁ।

ଟି-୨୦ ବିଶ୍ଵ କପ୍‌ ଦଳରେ ଷ୍ଟାଣ୍ଡବାଇ ଖେଳାଳି ଭାବେ ସାମିଲ୍ ଦଳର ଅନ୍ୟ ଏକ ପ୍ରମୁଖ ବୋଲର ମହମ୍ମଦ ଶାମିଙ୍କୁ ଦଳରେ ସ୍ଥାନ ମିଳିପାରେ। ଅନ୍ୟପକ୍ଷେ ମହମ୍ମଦ ସିରାଜଙ୍କୁ ଷ୍ଟାଣ୍ଡବାଇ ଖେଳାଳି ତାଲିକାରେ ରଖାଯାଇପାରେ। ମହମ୍ମଦ ଶାମି କରୋନାରୁ ସୁସ୍ଥ ହେବା ପରେ ଅଭ୍ୟାସ୍ ଆରମ୍ଭ କରି ଦେଇଛନ୍ତି। ଅନ୍ୟପଟେ ବୁମରାଙ୍କ ବଦଳରେ ମହମ୍ମଦ ସିରାଜଙ୍କୁ ଦକ୍ଷିଣ ଆଫ୍ରିକା ସିରିଜ୍‌ ପାଇଁ ଦଳରେ ସାମିଲ୍ କରାଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ମ୍ୟାଚ୍‌ ପରେ ଭାରତୀୟ ଦଳ ମୁମ୍ବାଇ ଯିବ। ଏଠାରୁ ଦଳ ଟି-୨୦ ବିଶ୍ଵ କପ୍ ପାଇଁ ଅକ୍ଟୋବର ୬ରେ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିବ।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ୍, ରବିଚନ୍ଦ୍ରନ ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍।

Related Posts