ପେଗାସସ୍‌ର ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯଶବନ୍ତ ସିହ୍ନା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ପେଗାସସ୍‌ ଜାସୁସି ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସାରା ଦେଶରେ ଏବେ ଏହି ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହାର ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ଗୋଟିଏ ପରେ ଗୋଟିଏ ପିଟିସନ ଦାଏର ହେବାରେ ଲାଗିଛି। ପୂର୍ବରୁ ପେଗାସସ୍‌ ରିପୋର୍ଟର ତଦନ୍ତ ଦାବିରେ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ବେଳେ ଗୁରୁବାର ଦିନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଟିଏମସି ନେତା ଯଶବନ୍ତ ସିହ୍ନା ଏକ ପିଟିସନ ଦାଖଲ କରିଛନ୍ତି।

ସେ ଗୁରୁବାର ଦିନ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି। ଏପଟେ ଗୁରୁବାର ଦିନ ସୁପ୍ରିମକୋର୍ଟ ପେଗାସସ୍‌ ମାମଲାର ଶୁଣାଣି ଆରମ୍ଭ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ନ୍ୟୁଜ ରିପୋର୍ଟରେ ବାହାରିଥିବା ଅଭିଯୋଗ ସତ, ତା’ହେଲେ ଏହା ସାଂଘାତିକ ବିଷୟ ।

ପେଗାସସ୍‌ ଦ୍ୱାରା ଦେଶର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଜାସୁସି କରାଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ,୪୦ରୁ ଅଧିକ ସାମ୍ବାଦିକ ପୂର୍ବତନ ଜଜ୍, ଶିଳ୍ପପତି, ଆକ୍ଟିଭିଷ୍ଟ ଏବଂ ମାନବାଧିକାର କର୍ମୀଙ୍କ ଫୋନ ନମ୍ବର ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ଜଣାପଡ଼ିଛି। ଏଥିସହ ଗୁଇନ୍ଦାଗିରି ସଂକ୍ରାନ୍ତ ଅଭିଯୋଗ ଉପରେ ନଜର ରଖିବାକୁ ଗୋଟିଏ ବ୍ୟବସ୍ଥା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସିହ୍ନା ଅନୁରୋଧ କରିଛନ୍ତି।

ଇସ୍ରାଏଲର କମ୍ପାନି ଏନଏସ୍ଓ ପ୍ରସ୍ତୁତ କରିଥିବା ପେଗାସସ୍ ସ୍ପାଇୱେୟାର ଉପରେ ବିଶ୍ୱର ୧୭ଟି ମିଡିଆ ସଂସ୍ଥା ଅନୁସନ୍ଧାନ କରି ଏକ ରିପୋର୍ଟ ପ୍ରକାଶ କରି ଥିଲେ। ଯାହାର ନାମ ଥିଲା ପେଗାସସ୍ ପ୍ରୋଜେକ୍ଟ। ଏହି ୧୭ ମିଡିଆ ସଂସ୍ଥା ମଧ୍ୟରେ ଭାରତର ଦି ୱେୟାର ମଧ୍ୟ ଥିଲା। ରିପୋର୍ଟ ଅନୁଯାୟୀ ପେଗାସସର ହ୍ୟାକିଂ ଟାର୍ଗେଟରେ ଭାରତର ୩୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ରହିଛି।

ସଂସଦର ମୌସୁମୀ ଅଧିବେଶନ ଠିକ୍ ପୂର୍ବଦିନ ଏହି ରିପୋର୍ଟ ସାର୍ବଜନୀନ ହୋଇଥିଲା। ଏହାକୁ ମୁଦ୍ଦା କରି ବିରୋଧୀ ସେବେଠାରୁ ସଂସଦ ସଂସଦରେ ହଙ୍ଗାମା କରୁଛନ୍ତି। କିନ୍ତୁ ସରକାର ଏହାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ କହି ଆଲୋଚନାକୁ ଏଡ଼ାଇ ଚାଲିଛନ୍ତି।

ଅନ୍ୟପକ୍ଷରେ ଘଟଣାର ତଦନ୍ତ ଦାବି କରି ଏଡିଟର୍ସ ଗିଲ୍ଡ, ବରିଷ୍ଠ ସାମ୍ବାଦିକ ଏନ ରାମ, ଶଶି କୁମାର, ସିପିଏମ ସାଂସଦ ଜନ ବ୍ରିଟ୍ଟାସ ଓ ଆଇନଜୀବୀ ଏମଏଲ ଶର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ସରକାର ପେଗାସସର ଲାଇସେନ୍ସ ରଖିଛନ୍ତି କି ନାହିଁ, ତା’ର ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ଦାବି କରିଛନ୍ତି।

ପେଗାସସ୍‌ର ଟାର୍ଗେଟ ଲିଷ୍ଟରେ ଥିବା ୪ ଜଣ ସାମ୍ବାଦିକ ମଧ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହାର ବ୍ୟବହାରକୁ ବେଆଇନ ଓ ଅସାମ୍ବିଧାନିକ ଘୋଷଣା କରିବାକୁ ନିବେଦନ କରିଛନ୍ତି। ସୂଚନା ମୁତାବକ ଆସନ୍ତା ମଙ୍ଗଳବାର ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Related Posts