୧୯୮୪ ଶିଖ୍ ବିରୋଧୀ ଦଙ୍ଗାରେ ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କୁ ୧.୨୫ ଲକ୍ଷ ଟଙ୍କା ଦିଆଯିବ : କେନ୍ଦ୍ର ସରକାର

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଲୋକସଭାରେ ଜାରି ରହିଥିବା ହୋହାଲ୍ଲା ମଧ୍ୟରେ ଗୁରୁବାର ଦିନ କେନ୍ଦ୍ର ସରକାର ୧୯୮୪ ମସିହା ଶିଖ୍ ଦଙ୍ଗା ପୀଡିତମାନଙ୍କ ପାଇଁ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୩.୫୦ ଲକ୍ଷ ଓ ଆହତଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ। ଲୋକସଭାରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ତରଫରୁ ଏହି ବିଧେୟକ ଉପସ୍ଥାପନ କରାଯାଇଥିଲା ।

ଏହା ବ୍ୟତୀତ ମୃତକଙ୍କ ବିଧବା ପତ୍ନୀ କିମ୍ବା ତାଙ୍କ ପରିବାରରେ ଥିବା ବୟସ୍କ ସଦସ୍ୟଙ୍କୁ ମାସିକ ୨,୫୦୦ ଟଙ୍କା ଦେବାକୁ ରାଜ୍ୟ ସରକାରମାନଙ୍କ ପାଇଁ କେନ୍ଦ୍ର ସରକାର ପ୍ରାବଧାନ କରିଛନ୍ତି । ଏହି ପେନସନ୍ ସେମାନଙ୍କୁ ଜୀବନ ସାରା ମିଳିବ ଓ ଏହି ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଏହା ପୂର୍ବରୁ ୨୦୧୪ ମସିହାରେ ବି କେନ୍ଦ୍ର ସରକାର ଶିଖ୍ ଦଙ୍ଗାର ପୀଡିତମାନଙ୍କ ପାଇଁ ସହାୟତା ପ୍ୟାକେଜ ୫ ଲକ୍ଷ ଟଙ୍କା ଲେଖାଏଁ କରିବାକୁ ଯୋଜନା କରିଥିଲେ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଆର୍ଥିକ ବର୍ଷ ୨୦୨୧-୨୨ ବଜେଟରେ ୧୯୮୪ ଦଙ୍ଗାର ପୀଡିତଙ୍କ ପରିବାର ଲୋକଙ୍କୁ ସହାୟତା ରାଶି ଦେବାକୁ ୪.୫ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରାଯାଇଛି ।
ମନ୍ତ୍ରଣାଳୟ କହିଛି ଯେ ବର୍ଦ୍ଧିତ ସହାୟତା ରାଶି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସେମାନଙ୍କ ବ୍ୟକ୍ତିଗତ ପାଣ୍ଠିରୁ ପ୍ରଦାନ କରିବେ ଏବଂ ପରେ ଏହାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସମ୍ପୃକ୍ତ ରାଜ୍ୟକୁ ଫେରସ୍ତ କରାଯିବ। ଏଥିପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଶ୍ୟକିୟ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ ପଡିବ |

Related Posts