
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିବାଦୀୟ ଧର୍ମ ପ୍ରଚାରକ ୟାତି ନରସିଂହାନନ୍ଦ ସରସ୍ୱତୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ସେ ବିଭିନ୍ନ ମଦ୍ରାସା ଓ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ଗନ ପାଉଡରରେ ଉଡ଼ାଇ ଦେବାକୁ ଧମକ ଦେବାପରେ ଏହି ବୟାନ ପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ରବିବାର ଆଲିଗଡ଼ରେ ହିନ୍ଦୁ ମହାସଭା ପକ୍ଷରୁ ଗୋଟିଏ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ୟାତି ନରସିଂହାନନ୍ଦ ଉତ୍ତରପ୍ରଦେଶ ସରକାର ମଦ୍ରାସାଗୁଡ଼ିକର କରୁଥିବା ସର୍ଭେ ସମ୍ପର୍କରେ ବୟାନ ଦେଇଥିଲେ। ସେ କହିଥିଲେ ଯେ “ଦେଶର କୌଣସି ସ୍ଥାନରେ ମଦ୍ରାସା ଭଳି ଅନୁଷ୍ଠାନ ରହିବା କଥା ନୁହେଁ। ଠିକ୍ ଚାଇନା ଭଳି ସମସ୍ତ ମଦ୍ରାସାଗୁଡ଼ିକୁ ଗନ ପାଉଡର ଦ୍ୱାରା ଉଡ଼ାଇ ଦେବା ଦରକାର। ମଦ୍ରାସାରେ ଥିବା ପିଲାମାନଙ୍କୁ କ୍ୟାମ୍ପସକୁ ପଠାଯିବା ଦରକାର। ଫଳରେ ସେମାନଙ୍କ ମସ୍ତିସ୍କରୁ କୁରାନ କୁହାଯାଉଥିବା ଭାଇରସକୁ ବାହାର କରାଯାଇ ପାରିବ।”
ୟାତି ନରସିଂହାନନ୍ଦ ସରସ୍ୱତୀ ଆହୁରି କହିଛନ୍ତି, ମଦ୍ରାସା ଭଳି ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳ(ଏଏମୟୁ)କୁ ମଧ୍ୟ ଉଡ଼ାଇ ଦିଆଯିବା ଦରକାର। ଏଠାରେ ଥିବା ପିଲାମାନଙ୍କୁ ଅଟକ କେନ୍ଦ୍ରକୁ ପଠାଇ ସେମାନଙ୍କ ମସ୍ତିସ୍କର ଚିକତ୍ସା କରିବା ଉଚିତ ବୋଲି ସେ କହିଥିଲେ। ଏହାକୁ ନେଇ ବେଶ ବିବାଦ ଦେଖାଯିବା ପରେ ଗାନ୍ଧି ନଗର ପୁଲିସ୍ ତାଙ୍କର ନାଁରେ ମାମଲା ରୁଜୁ କରିଛି। ତେବେ ପ୍ରଥମଥର ପାଇଁ ୟାତିଙ୍କ ଏଭଳି ମନ୍ତବ୍ୟ ପାଇଁ ମାମଲା ରୁଜୁ ହୋଇନାହିଁ। ଗତବର୍ଷ ସେ ହରିଦ୍ୱାରରେ ବିବାଦୀୟ ବୟାନ ଦେଇଥିବାରୁ ଗିରଫ ହୋଇଥିଲେ। ସେହିପରି ନିକଟରେ ମହତ୍ମା ଗାନ୍ଧିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଥିବାରୁ ତାଙ୍କ ନାଁରେ ମାମଲା ହୋଇଥିଲା।