ଆଜି ସନ୍ଧ୍ୟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ୟେଦ୍ୟୁରପ୍ପା !

କର୍ଣ୍ଣାଟକରେ ଆଜି ବିଜେପି ଗଢିବ ସରକାର । ସଂଧ୍ୟାରେ ବି.ଏସ୍. ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ଜେଡିଏସ୍-କଂଗ୍ରେସ ମେଣ୍ଟ ସରକାର ଭାଙ୍ଗିଯିବା ପରେ କର୍ଣ୍ଣାଟକ ବିଜେପି ଅଧ୍ୟକ୍ଷ ୟେଦୁରପ୍ପା ଆଜି ରାଜ୍ୟପାଳ ବାଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ରଖିଛନ୍ତି । ଏହାସହ ସେ ଆଜି ଶପଥଗ୍ରହଣ ପାଇଁ ଅନୁରୋଧ କରିବା ପରେ ଏହାକୁ ରାଜ୍ୟପାଳ ମଞ୍ଜୁରୀ ଦେଇଛନ୍ତି ।

ତେବେ ୟେଦୁରପ୍ପାଙ୍କ ପାଇଁ ଆଗକୁ ରହିଛି ବିଶ୍ବାସ ମତ ପରୀକ୍ଷା । ଜୁଲାଇ ୩୧ ସୁଦ୍ଧା ୟେଦୁରପ୍ପାଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ। ଗତକାଲି କଂଗ୍ରେସର ୩ ବିଦ୍ରୋହୀ ବିଧାୟକଙ୍କୁ ଦଳବଦଳ ଆଇନ ଅନୁଯାୟୀ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଦେଇଛନ୍ତି । ଏବେ ଅନ୍ୟ ୧୪ ବିଦ୍ରୋହୀ ବିଧାୟକଙ୍କ ଭାଗ୍ୟର ଫଇସଲା ହେବାକୁ ବାକି ରହିଛି ।

ବିଧାନସଭାରେ ଏବେ ମୋଟ ସଦସ୍ୟ ସଂଖ୍ୟା ୨୨୨ । ତେଣୁ ବିଜେପିକୁ ମହୁମତ ଲାଗି ଆବଶ୍ୟକ ୧୧୨ ବିଧାୟକଙ୍କ ସମର୍ଥନ । ତେବେ ବିଜେପି ପାଖରେ ରହିଛି ୧୦୬ ବିଧାୟକଙ୍କ ସମର୍ଥନ । ବାକି ୬ ବିଧାୟକଙ୍କ ସମର୍ଥନ ୟେଦୁରପ୍ପା କେମିତି ଯୋଗାଡିବେ ତାହା ବଡ ଚାଲେଞ୍ଜ । ଶକ୍ତି ପରୀକ୍ଷଣ ବେଳେ ୬ଟି ଭୋଟରେ ହାରି ଯାଇଥିଲେ କୁମାରସ୍ବାମୀ । ୩ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ବାଚସ୍ପତି କଠୋର ସନ୍ଦେଶ ଦେଇଛନ୍ତି । ଅନ୍ୟ ବିଦ୍ରୋହୀମାନେ ଏବେବି ମୁମ୍ବାଇରେ ଡେରା ପକାଇଛନ୍ତି ।

Related Posts