ଲଘୁଚାପର ରୂପନେଲା ଘୂର୍ଣ୍ଣିବଳୟ : ୩ ଦିନ ଯାଏଁ ଲାଗି ରହିବ ବର୍ଷା, ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଆଜିଠାରୁ ୨୫ ଯାଏଁ ତିନି ଦିନ ଧରି ସାରା ରାଜ୍ୟରେ ବର୍ଷା ହେବ । ଏମିତିକି ଦୀପାବଳି ମଧ୍ୟ ଫିକା ପଡ଼ିବାର ବେଶ୍ ସମ୍ଭାବନା ରହିଛି । ଲଘୁଚାପ ଫଳରେ ଆଜି ଅର୍ଥାତ ଅକ୍ଟୋବର ୨୩ରୁ ୨୫ ଯାଏଁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।  ବିଶେଷ କରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି । ଆଜି ଗଜପତି, ଗଞ୍ଜାମ, ରାୟଗଡା, ପୁରୀ, କନ୍ଧମାଳ, ନୟାଗଡ, ନୂଆପଡା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୪ତାରିଖ ଅର୍ଥାତ ଆସନ୍ତାକାଲି (ଗୁରୁବାର)ରେ ଗଜପତି, ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେଓଗଡ, ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର ଓ କଟକରେ ପ୍ରବଳ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୨୫ ତାରିଖ (ଶୁକ୍ରବାର)ରେ କେନ୍ଦୁଝର, ମୟୂରଭଞ୍ଜ, କଟକ, ବାଲେଶ୍ୱର, ଢେଙ୍କାନାଳ, ଯାଜପୁର ଓ ନୟାଗଡରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ଉପରୋକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇଛି । ବର୍ଷା ପାଇଁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି ।

Related Posts