ରାଜ୍ୟରେ କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା: ବର୍ଷା ଛାଡ଼ିଲେ ହାଡ଼ଭଙ୍ଗା ଶୀତ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୨ଦିନ ଯାଏଁ ପାଗ କୋହଲା ରହିବା ସାଙ୍ଗକୁ ବର୍ଷା ଜାରି ରହିବ । ୨ଦିନ ପରେ ପୁଣି ପାଗରେ ପରିବର୍ତ୍ତନ ଆସି ହାଡ଼ଭଙ୍ଗା ଶୀତ ଫେରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଗତ ୨ଦିନ ହେବ କିଛି ସ୍ଥାନରେ ପାଗ ଶୁଖିଲା ରହିଥିବା ବେଳେ କିଛି ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି । ତେବେ ଆଜି ରାଜ୍ୟରେ ବର୍ଷା ପରିମାଣ ବଢ଼ିବାରେ ଲାଗିଛି । ଆଗାମୀ ୨ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଏହି ୨ଦିନ ବାଲେଶ୍ୱର, ଭଦ୍ରକ, ଅନୁଗୋଳ, କଟକ, ଖୋର୍ଦ୍ଧା, ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଘଡଘଡି ସହ ସ୍ୱଳ୍ପ ଧରଣର ବର୍ଷା ସମ୍ଭାବନା ରହିଛି । ୬ତାରିଖ ପରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବ । ଟ୍ରପ ଲାଇନ ହଟିବା ପରେ ଆକାଶ ମେଘମୁକ୍ତ ସହ ତାପମାତ୍ରା ହ୍ରାସ ହେବ । ଦକ୍ଷିଣ ପଶ୍ଚିମ ରାଜସ୍ଥାନରୁ ଝାଡ଼ଖଣ୍ଡ ଯାଏଁ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଟ୍ରପ ଲାଇନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।

ଗତ ୨୪ଘଣ୍ଟାରେ ସୋନପୁରରେ ସର୍ବାଧିକ ୩୧.୨ ମିମି ବର୍ଷା ରେକର୍ଡ଼  ହୋଇଛି । ଆସନ୍ତା ୬ ତାରିଖ ପରେ ପୁଣି ଶୀତର ପ୍ରକୋପ ବଢିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି ।

Related Posts