ବିଜେଡି ନୁହେଁ ବିଜେପି ହିଁ ପାଇଛି ସ୍ପଷ୍ଟ ବହୁମତ

ଧର୍ମେନ୍ଦ୍ର ଓଗେରଙ୍କ ପାଇଁ ଖୁସି ଖବର

ସତ୍ୟପାଠ ବ୍ୟୁରୋ : ୨୦୧୯ ନିର୍ବାଚନରେ ୧୧୨ ଆସନରେ ସ୍ପଷ୍ଟ ବହୁମତ ପାଇ ସରକାର ଗଢ଼ିଲା ବିଜେଡି । ଆଉ ମିଶନ ୧୨୦ର ନାରା ଦେଉଥିବା ବିଜେପି ମାତ୍ର ୨୩ ଟି ଆସନରେ ସନ୍ତୁଷ୍ଟ ହେଲା । ଯେଉଁଥିପାଇଁ ଓଡିଶା ବିଜେପିର ନେତୃତ୍ୱ ନେଉଥିବା ଧର୍ମେନ୍ଦ୍ର ବାବୁଙ୍କୁ ଅନେକ ସମାଲୋଚନାର ଶୀକାର ହେବାକୁ ପଡିଲା । କୁହାଗଲା ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଚାହୁଁ ନାହାଁନ୍ତି ଭୋଟର । କିନ୍ତୁ ଧର୍ମେନ୍ଦ୍ର ଓଗେରଙ୍କ ପାଇଁ ଖୁସି ଖବର । ବିଜେପିକୁ ମିଳିଛି ସ୍ପଷ୍ଟ ବହୁମତ । ତା ବି ୧୧୨ ଆସନରେ । ଯେତିକି ଆସନରେ ବିଜେଡି ଜିତିଛି ଏକଦମ୍ ସେତିକି ଆସନରେ ବିଜେପିକୁ ସ୍ପଷ୍ଟ ବହୁମତ ମିଳିଛି । କିନ୍ତୁ ତାହା ଇଭିଏମରେ ନୁହେଁ ବାଲାଟ ପେପରରେ । ମାନେ ପୋଷ୍ଟାଲ ବାଲାଟରେ । ଏବେ ଆପଣ କହି ପାରନ୍ତି, ଧର୍ମେନ୍ଦ୍ର ଭାଇ ହାରି ନାହାଁନ୍ତି କି ନବୀନ ବାବୁ ବି ଜିତି ନାହାଁନ୍ତି ।

ଯେଉଁମାନେ ଶିକ୍ଷିତ ଓ ଚାକିରୀ କରିଥାନ୍ତି ଏବଂ ନିଜ ବୁଥ୍ ଠାରୁ ଦୂରରେ ଥାଆନ୍ତି ସେହିମାନେ ହିଁ ପୋଷ୍ଟାଲ ବାଲାଟରେ ଭୋଟ ଦିଅନ୍ତି । ଏକଥା ଠିକ୍ ଯେ ଏମାନଙ୍କ ସଂଖ୍ୟା ଇଭିଏମ୍ ଭୋଟ ତୁଳନାରେ ଅଧିକ ନୁହେଁ । କିନ୍ତୁ ଏମାନଙ୍କ ଭୋଟ ବି ମୂଲ୍ୟମାନ । ତେଣୁ ରାଜନୀତିରେ ରୁଚି ରଖୁଥିବା ଲୋକ ଏ ପରିସଂଖ୍ୟାନ ଦେଖି ତାଜୁବ । ପୋଷ୍ଟାଲ ବାଲାଟରେ ଠିକ୍ ୧୧୨ଟି ଆସନରେ ବିଜେପି ପ୍ରାର୍ଥୀ ଅଧିକ ଭୋଟ ପାଇଛନ୍ତି ଏବଂ ସବୁଠୁ ବଡ କଥା ହେଉଛି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏହି ଭୋଟ ଜରିଆରେ ବିଜେପି ପ୍ରାର୍ଥୀଙ୍କ ଠାରୁ ୨୧ ଖଣ୍ଡ କମ୍ ଭୋଟ ପାଇଛନ୍ତି ।

ଏକଥା ସ୍ପଷ୍ଟ ସଙ୍କେତ ଦେଉଛି ଯେ, ଯେଉଁମାନେ ଶିକ୍ଷିତ, ପାଠ ପଢ଼ୁଆ ଏବଂ ଚାକିରୀ କରୁଛନ୍ତି ମାନେ ରାଜନୀତି, ବିକାଶ ଓ ଭାଷଣକୁ ଯେଉଁମାନେ ବୁଝିଛନ୍ତି ସେମାନେ ନବୀନ ପଟ୍ଟନାୟକଙ୍କୁ ଦୂରେଇ ଦେଇଛନ୍ତି । ବିଜେଡିର ବିକଳ୍ପ ଭାବେ ବିଜେପି ଉପରେ ଭରସା କରିଛନ୍ତି ।

 

ଏବେ ଏହି ପରିସଂଖ୍ୟାନକୁ ନେଇ ପ୍ରସ୍ତୁତ ଏ ରିପୋର୍ଟକୁ କିଛି ଜଣ ଅପରିପକ୍ୱତା ଦର୍ଶାଇ ପାରନ୍ତି । ମାତ୍ର କେଇଜଣ ଭୋଟରଙ୍କ ସଂଖ୍ୟାକୁ ନେଇ ଏଭଳି ଆକଳନ କୁ ନିଷ୍ପ୍ରଭ ବୋଲି ବି କହି ପାରନ୍ତି । କିନ୍ତୁ ସମସ୍ତେ ଜାଣିବା ଦରକାର, ଯଦି କେଇଜଣ ଭୋଟରଙ୍କୁ ନେଇ ପ୍ରସ୍ତୁତ ଏକଜିଟ୍ ପୋଲ୍ କୁ ନେଇ ରିପୋର୍ଟ ହୋଇପାରୁଛି, ତାହାକୁ ନେଇ ଡିବେଟ୍ ହୋଇ ପାରୁଛି , ଏକଜିଟ୍ ପୋଲକୁ ଏକଜାଟ୍ ପୋଲ୍ ବୋଲି ଧରି ନିଆଯାଉଛି ତେବେ ଏ ପରିସଂଖ୍ୟାନରେ ସମସ୍ୟା କେଉଁଠି । ତା ଛଡା ଏକଜିଟ୍ ପୋଲ୍ ର ଭୋଟ୍ ସତ ଭୋଟ୍ ନୁହେଁ, କିନ୍ତୁ ଏ ଭୋଟ୍ ତ ଅସଲି ଭୋଟ୍ ।

ସବୁଠୁ ବଡ କଥା ହେଲା, ଏହାକୁ ଯଦି ଏକ ସାମ୍ପୁଲ ଭାବେ ନିଆଯିବ ତେବେ ଗୋଟିଏ କଥା ତ ସ୍ପଷ୍ଟ ଯେ, ଇଭିଏମରେ ଏହାର ଓଲଟା ଫଳ ଆସିଛି । କିନ୍ତୁ ଏହା ସମ୍ଭବ କେମିତି ହୋଇଛି ତାହା ବି ଏକ ବଡ ପ୍ରଶ୍ନ । ସତ୍ୟବାଦୀ ହେଉ କି କେନ୍ଦ୍ରାପଡା । ବୁଥ୍ ରିଗିଂ ଓ ବୁଥ୍ କ୍ୟାପଚରିଂର ଅଭିଯୋଗ ସବୁବେଳେ ଆସେ ସରକାରୀ ଦଳ ଉପରେ । ହୁଏତ ଏ ଅଭିଯୋଗ ପଛରେ କିଛି ସତ୍ୟତା ଇଭିଏମର ଫଳାଫଳକୁ ଓଲଟ ପାଲଟ କରିପାରେ । ଏମିତିରେ ମୋଟ ପୁଲିଂ ଓ ମୋଟ୍ କାଉଣ୍ଟିଂ କେତେ ହୋଇଛି ତାହା ଆଜି ପର୍ଯ୍ୟନ୍ତ ନିର୍ବାଚନ କମିଶନ ସ୍ପଷ୍ଟ କରି ପାରିଲେ ନାହିଁ । କିନ୍ତୁ ଅନେକଙ୍କ ମତ ପୁଲିଂ ଠାରୁ ଭୋଟ ଅଧିକ ହୋଇଛି ।

ଯେଉଁମାନେ ନିର୍ବାଚନ ଫଳାଫଳକୁ ନେଇ ସମୀକ୍ଷା କରନ୍ତି ସେମାନଙ୍କ ପାଇଁ ଏ ଫଳାଫଳ ଅନେକ କିଛି ଗୁରୁତ୍ୱ ରଖୁଛି । ଏପରିକି ଦୁଇ ଦଳ ବିଜେପି ଓ ବିଜେଡି ପାଇଁ ମଧ୍ୟ ଏହା ଦୁଇଟି ଭିନ୍ନ ସଙ୍କେତ ଦେଉଛି । ବିଜେପି ପାଇଁ ଏବେ ଏହା ଚିନ୍ତାର କାରଣ ଯେ, ଏ ଫଳାଫଳକୁ ନେଇ ସେମାନେ ଲୋକଙ୍କ ପାଖକୁ କେମିତି ଯିବେ ? ପ୍ରତିଦିନ ପୃଷ୍ଠା ପୃଷ୍ଠା କାଗଜ ଧରି ଶାସକ ଦଳକୁ ଆକ୍ରମଣ କରୁଥିବା ବିଜେପିର ପ୍ରବକ୍ତା ମାନେ ଏ ପ୍ରସଙ୍ଗରେ ପୁରା ଚୁପ । ଅଙ୍କ ସିନା ଭୁଲ ହୋଇଛି ହେଲେ ଏହା ପଛର କାରଣ ବି ଜଣାପଡୁନି । ସଂଖ୍ୟା ପୁରା ଓଲଟିଛି । ହଁ, ଏହା କୁହାଯାଇପାରେ, ବିଜେପି ଶିକ୍ଷିତମାନଙ୍କ ପାଖରେ ପଂହଚିଛି ସତ କିନ୍ତୁ ଅନ୍ୟ ବର୍ଗଙ୍କ ପାଖରେ ପହଂଚିବାରେ ସଫଳ ହୋଇନି ।

ସମାନ୍ତରାଳ ଭାବେ ବିଜେଡି ପାଇଁ ବି ଏହା ସତର୍କ ଘଂଟି । ଯେତେବେଳେ ରାଜନୀତିକୁ ବୁଝୁଥିବା ଜାଣୁଥିବା ଶିକ୍ଷିତ ଲୋକେ ଦଳ ଉପରୁ ମୁହଁ ଫେରାଇ ନେଲେଣି ସେତେବେଳେ ସ୍ଥିତି କଣ ହେଉଥିବ ତାହା ବି ଭାବିବା ଦରକାର । ଅନ୍ୟଥା ବାଜି ବଦଳାଇପାରେ ବାଲାଟ…

Related Posts