ରାଜଧାନୀର ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ

ସତ୍ୟପାଠ ବ୍ୟୁରୋ : ଆଶ୍ରମ ସ୍କୁଲରେ ଛାତ୍ରୀ ହେଉଛନ୍ତି ଗର୍ଭବତୀ । ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି । ଏଥର କିନ୍ତୁ ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ । ଯାହା ସରକାରୀ ବ୍ୟବସ୍ଥା ଓ ସୁରକ୍ଷାକୁ ପଦାକୁ ଆଣିଛି ।

କୋରାପୁଟ, କନ୍ଧମାଳ, ମାଲକାନଗିରି ଭଳି ଉପାନ୍ତ ଅଂଚଳରୁ ଏଭଳି ଅନେକ ଖବର ପାଠକେ ପଢ଼ିବାକୁ ପାଇଥିବେ ହେଲେ ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିବା ଦାୟିତ୍ୱହୀନତାକୁ ରାସ୍ତାକୁ ନେଇ ଆସିଛି । ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଏସସି/ଏସଟି ଆଶ୍ରମ ସ୍କୁଲର ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ରାଜଧାନୀର ଛାତି ଉପରେ ଛିଡା ହୋଇଥିବା ଏହି ଆଶ୍ରମ ସ୍କୁଲରେ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବେଳେ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ବେଳେ ଏହା ଜଣାପଡିଥିଲା ।

ଏହି ସମୟରେ ୪ଜଣ ଛାତ୍ରୀ ଗର୍ଭବତୀ ଥିବା ଜାଣି ଏକ ଡାକ୍ତରଖାନାରେ ପାଥୋଲାବ ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଜଣଙ୍କର ପଜିଟିଭ୍ ଆସିଥିଲା । ପରେ ଏନେଇ ଖୋଳତାଡ ଓ ତଦନ୍ତ ହୋଇଛି । ଛାତ୍ରୀ ଜଣକ ରଜପର୍ବ ବେଳେ ଘରକୁ ଯାଇଥିବା ବେଳେ ସେଠାରେ ଅଭିଯୁକ୍ତ ତା ସହ ଶାରିରୀକ ସମ୍ପର୍କ ରଖିଥିବା ଜଣାପଡିଥିଲା । ଛାତ୍ରୀଜଣକ ଏନେଇ ଯାହା ନାଁ ନେଇଥିଲେ, ତାକୁ ଗିରଫ କରିଛି ପୁଲିସ ।

ଓଡିଶାରେ ୧୬୭୦ ଆଶ୍ରମ ସ୍କୁଲ ଓ ୬ହଜାର ଉଦ୍ଧ୍ୱର୍ ଆଦିବାସୀ ହଷ୍ଟେଲ ରହିଛି । ଅନ୍ତେବାସୀଙ୍କୁ ସୁରକ୍ଷା ଓ ନିରାପତ୍ତା ପାଇଁ ସରକାରୀ ନିର୍ଦ୍ଦିଷ୍ଟ ନିୟମ ଓ ଆଇନ ବି ରହିଛି । ମେସ୍ ଓ ହଷ୍ଟେଲ ମ୍ୟାନେଜମେଣ୍ଟ ସହ ଅନେକ ହଷ୍ଟେଲରେ ସିସିଟିଭି ବି ଲଗାଯାଇଛି । ତଥାପି ଅନ୍ତଃସତ୍ତ୍ୱା ହେଉଛନ୍ତି ଅନ୍ତେବାସୀ ।

ଏଭଳି ଘଟଣା ଓଡିଶା ପାଇଁ ନୁଆ ନୁହେଁ । ତଥ୍ୟ କହୁଛି, ସରକାରଙ୍କ ଦ୍ୱାରା ପରିଚାଳିତ ଆଦିବାସୀ ହଷ୍ଟେଲରେ ୨୦୧୪ରୁ ଆଜି ଭିତରେ ପ୍ରାୟ ୧୭ଜଣ ଛାତ୍ରୀ ଗର୍ଭବତୀ ହୋଇଛନ୍ତି । ଗଲା ୫ବର୍ଷ ଭିତରେ ୪ଜଣ ନାବାଳିକା ଛାତ୍ରୀ କୁଆଁରୀ ମା ହୋଇଛନ୍ତି ।

Related Posts