ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ନାମରେ ମିଥ୍ୟା ଖବର ଚଳାଇବା ପଡିଲା ମହଙ୍ଗା । ପୋଲିସ ହେପାଜତରେ ଜୀ ନ୍ୟୁଜର ଆଙ୍କର । ତେବେ ଜୀ ନ୍ୟୁଜରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ମିଥ୍ୟା ଭିଡିଓ ଚଲା ଯାଇଥିଲା । ଏହାପରେ ଚ୍ୟାନେଲ ତରଫରୁ ଓ ନିଜେ ଆଙ୍କର ଜଣଙ୍କ ସର୍ବ ସାଧାରଣରେ କ୍ଷମା ମାଗିଥିଲେ ବି ପୋଲିସ କାର‌୍ୟ୍ୟାନୁଷ୍ଠାନ ନେଇଛି । ସେପଟେ ରୋହିତ ରଞ୍ଜନଙ୍କୁ ଗିରଫ କରିବା ବେଳର ଦୃଶ୍ୟ ବି ରୋମାଞ୍ଚକର ଥିଲା । ଗୋଟିଏ ପଟେ ଛତିଶଗଡ ପୋଲିସ ରୋହିତଙ୍କୁ ଗିରଫ କରିବାକୁ ଚାହୁଁଥିବା ବେଳେ ଗାଜିଆବାଦ ପୋଲିସ ଛତିଶଗଡ ପୋଲିସ ସହ ଝଗଡା କରି ରୋହିତଙ୍କୁ ନେଇ ପଳାଇଥିଲା । ଏସବୁକୁ ନେଇ ରୋହିତ ରଞ୍ଜନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗାଜିଆବାଦ ଏସଏସପି ଓ ଏଡିଜିଙ୍କୁ ଟ୍ୱିଟ କରିଛନ୍ତି ।

ସେ କହିଛନ୍ତି କି ସ୍ଥାନୀୟ ପୋଲିସକୁ ସୂଚନା ନଦେଇ ଛତିଶଗଡ ପୋଲିସ ତାଙ୍କୁ ଗିରଫ କରିବାକୁ ତାଙ୍କ ଘର ଆଗରେ ଠିଆ ହୋଇଛି । ଏହା କଣ ଆଇନ କି ବୋଲି ରୋହିତ ପ୍ରଶ୍ନ କରିଛନ୍ତି । ରୋହିତଙ୍କର ଏଭଳି ଟ୍ୱିଟ ଉପରେ ଜବାବ ରଖିଛି ଛତିଶଗଡ ପୋଲିସ । ଛତିଶଗଡ ପୋଲିସ ପକ୍ଷରୁ କୁହାଯାଇଛି କି, ଯଦି କାହା ବିରୋଧରେ ୱାରେଣ୍ଟ ରହିଛି ତେବେ ତାଙ୍କୁ ଗିରଫ କରିବା ପୂର୍ବରୁ ସ୍ଥାନୀୟ ପୋଲିସକୁ ସୂଚନା ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେରଳର ୱାଇନାଡ ଠାରେ କଂଗ୍ରେସ କାର‌୍ୟ୍ୟାଳୟ ଉପରେ ଆକ୍ରମଣ କରିଥିବା ଯୁବକଙ୍କ ଉପରେ ବୟାନ ଦେଇଥିଲେ । ଏହାକୁ ଜୀ ନ୍ୟୁଜ ଆଙ୍କର କହିଥିଲେ କି, ରାହୁଲ ଗାନ୍ଧୀ ଉଦୟପୁର ଦର୍ଜୀ ହତ୍ୟାକାରୀ ଉପରେ ବୟାନ ଦେଇଥିବା ନେଇ ଭିଡିଓ ଚଲାଇଥିଲେ ।ଏହାକୁ ନେଇ ରୋହିତ ରଞ୍ଜନଙ୍କ ଉପରେ ରାଜସ୍ଥାନ ଓ ଛତିଶଗଡରେ ମାମଲା ଦାଖଲ ହୋଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।