ଆହୁରି 2 ଦିନ ଥରିବ ଓଡିଶା, ଫେବୃଆରୀ ୩ ରୁ ବର୍ଷା

ରାଜ୍ୟରେ ଦୁଇ ଦିନ ପ୍ରବଳ ଜାଡ ଲାଗିରହିଥିବା ବେଳେ, ଆହୁରି ଦୁଇ ଦିନ ଥରିବ ଓଡିଶା। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେବା ଯୋଗୁ କେତେକ ସ୍ଥାନରେ ଶୀତ ଲହରୀ ଆରମ୍ଭ ହୋଇଛି ।

ସୋମବାର ରାତିରୁ ଶୀତ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ । ଫେବୃଆରୀ ୩ ରୁ ରାଜ୍ୟରେ ପଶ୍ଚିମ ଝଡ଼ ପ୍ରଭାବ ରହିବ । ଫଳରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ । ପାଗରେ ପରିବର୍ତ୍ତନ ହେବ ଓ ତାପମାତ୍ରା ପୁଣି ବୃଦ୍ଧି ପାଇବ ବୋଲି କହିଛନ୍ତି ଭୁବନେଶ୍ବର ପାଣିପାଗ ବୈଜ୍ଞାନିକ ସଞ୍ଜିବ ଦ୍ବିବେଦୀ ।

ଆସନ୍ତାକାଲି ଅର୍ଥାତ ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ । ପାଣିପାଗ ବିଭାଗର ସୂଚନା ଅନୁସାରେ ରବିବାର କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ ।ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ପ୍ରବଳ ଶୀତକୁ ଦୃଷ୍ଟି ରଖି ୬ଟି ଜିଲ୍ଲାକୁ ତୀବ୍ର ଶୀତ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ୩୧ ତାରିଖରେ ଝାରସୁଗୁଡ଼ା , ନୂଆପଡ଼ା , ବଲାଙ୍ଗୀର , ବରଗଡ଼ , ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବାର ସମ୍ଭାବନା ରହିଛି । ସେପଟେ ରାତ୍ରୀ ସମୟରେ ବାଇକ୍ କିମ୍ବା ଖୋଲା କାରରେ ଯାତାୟତ କରିବାକୁ ବାରଣ କରାଯାଇଛି ।

ଶନିବାର ୧୦ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଦାରିଙ୍ଗବାଡି ଓ ଫୁଲବାଣୀରେ ତାପମାତ୍ରା ସର୍ବନିମ୍ନ ୬ ଡିଗ୍ରୀ ରେକର୍ଡ କରାଯାଇଛି ।

Related Posts