
ବିଷାକ୍ତ ମଦ ନେଲା ଜୀବନ । ବିଷାକ୍ତ ମଦ ପିଇ ଚାଲିଗଲା 7 ଜଣଙ୍କ ଜୀବନ । ଉତ୍ତର ପ୍ରଦେଶ ଆଜମଗଡ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଘଟଣା । ଏଥିସହ ୧୨ ଜଣ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ଅସୁସ୍ଥଙ୍କ ମଧ୍ୟରେ କିଛି ଗୁରୁତର ଥିବାବେଳେ ସମସ୍ତେ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ମୃତ ଓ ଆହତମାନେ ଗୋଟିଏ ଗ୍ରାମର ବାସିନ୍ଦା ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ଅହରୌଲା ଥାନା ଅଧୀନରେ ଆସୁଥିବା ମାହୁଲା ଗ୍ରାମରେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଏକ ମଦ ଦୋକାନରୁ କିଛି ଗ୍ରାମବାସୀ ଏକାଠି ମଦ କିଣି ପିଇବା ପରେ ହଠାତ ଗୁରୁତର ହୋଇପଡିଥିଲେ । ପରେ ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ପ୍ରାୟ ୧୨ ଜଣଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଉକ୍ତ ମଦ ବିଷାକ୍ତ ଥିବା ନେଇ ଜଣାପଡିବା ପରେ ଉତ୍ତେଜନା ପ୍ରକାଶ ପାଇଛି ।ତେବେ ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ରାଜ୍ୟରେ ବର୍ତ୍ତମାନ ବିଧାନସଭା ନିର୍ବାଚନ ଜାରି ରହିଥିବା ବେଳେ ଅବୈଧ ମଦ କାରବାର ରୋକିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଉଛି ।