ଆରପାରିରେ ଭେଟେରାନ ମାଲାୟାଲମ ଅଭିନେତ୍ରୀ କେପିଏସି ଲଲିତା | ଦୁଇ ଦୁଇଥର ନିଜର ବଳିଷ୍ଠ ଅଭିନୟ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଜିତିଥିବା ଏହି ଅଭିନେତ୍ରୀ ଆଉ ନାହାନ୍ତି | ଗତ ମଙ୍ଗଳବାର କୋଚିର ଏକ ଘରୋଇ ଡାକ୍ତଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଲଲିତା । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ହୋଇଥିଲା ।
ସେ ଦୀର୍ଘ ୫ ଦଶନ୍ଧି ଧରି ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିଥିଲେ। ଏହି ସମୟରେ ସେ ୫୫୦ରୁ ଅଧିକ ମାଲାୟଲମ ଓ ତାମିଲ ଫିଲ୍ମରେ ଅଭିନୟ କରିଥିଲେ। ଲଳିତା ଦୁଇ ଥର ନ୍ୟାଶନାଲ ଫିଲ୍ମ ଆୱାର୍ଡ ଓ ୪ଥର କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି।
୧୯୯୯ରେ ରିଲିଜ ହୋଇଥିବା ଅମରାମ ଓ ୨୦୦୦ ମସିହାରେ ରିଲିଜ ହୋଇଥିବା ଶନାତମ ଫିଲ୍ମ ପାଇଁ ତାଙ୍କୁ ଜାତୀୟ ପୁରସ୍କାର ମିଳିଥିଲା। ଏଥିସହ ସେ ୫ ବର୍ଷ ପାଇଁ କେରଳ ସଂଗୀତ ନାଟକ ଏକାଡେମୀର ଚେୟାରମ୍ୟାନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
କେରଳର ଅଲପ୍ପୁଝା ସ୍ଥିତ କୟାମକୁଲମରେ ଜନ୍ମ ଗ୍ରହଣ କରିଥିବା ଲଳିତା ଓରଫ ମାହେଶ୍ୱରୀ ଆମ୍ମା ପରବର୍ତ୍ତୀ ଅବସ୍ଥାରେ କେରଳ ପିପୁଲ୍ସ ଆର୍ଟସ କ୍ଲବ(କେପିଏସି)ରେ ଯୋଗ ଦେଇଥିଲେ। ଅଭିନୟ ଜଗତକୁ ଆସିବା ପରେ ତାଙ୍କୁ ସମସ୍ତେ ଲଳିତା ନାଁରେ ଜାଣିବାକୁ ଲାଗିଥିଲେ। ଏଥିସହ ତାଙ୍କ ନାଁ ପଛରେ କେପିଏସି ଟ୍ୟାଗ ମଧ୍ୟ ଯୋଡ଼ି ହୋଇଯାଇଥିଲା।
ଲଳିତା ମାଲାୟଲମ ଫିଲ୍ମ ନିର୍ମାତା ଦିବଂଗତ ଭାରତନଙ୍କୁ ବିବାହ କରିଥିଲେ। ତାଙ୍କ ପୁଅ ସିଦ୍ଧାର୍ଥ ମଧ୍ୟ ଜଣେ ଅଭିନେତା ଓ ସେ ଫିଲ୍ମ ନିର୍ମାତା ଭାବେ ମାଲାୟଲମ ସିନେମାରେ କାମ କରୁଛନ୍ତି।
ଅଭିନେତ୍ରୀ ଲଳିତାଙ୍କ ମୃତ୍ୟୁ ନେଇ ଶୋକ ପ୍ରକାଶ କରିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ଲଲିତା ଅଭିନୟ ଦକ୍ଷତା ସହିତ ଏକ ଯୁଗର ଅନ୍ତ ହୋଇଥିବା ସେ କହିଛନ୍ତି । ବିରୋଧୀଦଳ ନେତା ଭି ଡି ସାଥିସନ ମଧ୍ୟ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମାଲାୟାଲମ ସିନେମା ଏବଂ ନାଟକରେ ସେ ଜଣେ ଅନନ୍ୟ ପ୍ରତିଭା ବୋଲି କହିଛନ୍ତି । ସେ କହିଛନ୍ତି, ସେ ତାଙ୍କର ଅସାଧାରଣ ଅଭିନୟ ଦକ୍ଷତା ସହିତ ପ୍ରତ୍ୟେକ ଚରିତ୍ରକୁ ଏକ ସ୍ବତନ୍ତ୍ର ରୀପ ଦେବାରେ ସଫଳ ହୋଇଛନ୍ତି। ଜଣେ କଳାକାର ଭାବରେ ସେ ତାଙ୍କ ଚରିତ୍ରମାନଙ୍କୁ ସୂଚାରୁ ଭାବେ ତୁଲାଇଛନ୍ତି |





