
ରାଜ୍ୟରେ ଶେଷ ହୋଇଚି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ୍ରେ ୭୭.୨ ପ୍ରତିଶନ ମତଦାନ ହୋଇଛି । ଅନେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିବା ବେଳେ ୪ଟି ଜିଲ୍ଲାର ୨୫ଟି ବୁଥରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ରବୀନ୍ଦ୍ର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଯାଜପୁର ଜିଲ୍ଲାରେ ସର୍ବାଧିକ ୧୧ଟି ବୁଥ୍ରେ ରି-ପୋଲ୍ ପାଇଁ ପ୍ରସ୍ତାବ ଆସିଛି। ପୁରୀ ଓ ଭଦ୍ରକରେ ୫ଟି ଲେଖାଏଁ ବୁଥ୍ ଏବଂ ଢେଙ୍କାନାଳରେ ୪ଟି ବୁଥ୍ରେ ରି-ପୋଲ୍ ପ୍ରସ୍ତାବ ଆସିଛି। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଏହି ପ୍ରସ୍ତାବ ଦେଇଛନ୍ତି। ରାଜ୍ୟ ନିର୍ବାଚନ କମିଶନର ତର୍ଜମା କରି ଏ ସଂପର୍କରେ ନିଷ୍ପତ୍ତି ନେବେ।
ନିର୍ବାଚନ କମିଶନରଙ୍କ ସଚିବ ଆହୁରି କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବ୍ଲକ ଗୁଡ଼ିକରେ ପୋଲିଂ ଅଫିସର ପହଞ୍ଚି ସାରିଛନ୍ତି। ନିର୍ବାଚନ ସମୟରେ ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ୨୨୫ ପୁଲିସ ପ୍ଲାଟୁନ ନିୟୋଜିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ଘଟିଥିବା ନିର୍ବାଚନୀ ହିଂସା ନେଇ ଗତକାଲି ରାଜ୍ୟ ନିର୍ବାଚନ କମିଶନର ଡିଜିପିଙ୍କ ସହ ଆଲୋଚନା କରିଛନ୍ତି। ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସେ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।