ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ୨୦୧୪ ମସିହାରେ ଜାତିସଂଘର ସାଧାରଣ ସଭାରେ ଭାରତର ପ୍ରସ୍ତାବ ଅନୁଯାୟୀ ଜୁନ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା। ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସୁସ୍ଥତା ପାଇଁ ଯୋଗର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ। ଫଳରେ ୨୦୧୫ ମସିହା ଠାରୁ ପ୍ରତିବର୍ଷ ଜୁନ ୨୧ ତାରିଖକୁ ସମଗ୍ର ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଯୋଗ କେବଳ ଏକ ବ୍ୟାୟାମ ପଦ୍ଧତି ନୁହେଁ, ବରଂ ଏହା ଭାରତର ପ୍ରାଚୀନ ଋଷି-ମୁନିମାନଙ୍କ ଦ୍ୱାରା ପ୍ରଦତ୍ତ ଏକ ଅମୂଲ୍ୟ ଜୀବନଦର୍ଶନ। ଯୋଗ ଶରୀର, ମନ ଏବଂ ଆତ୍ମାର ସମନ୍ୱୟ ସାଧନ କରି ମଣିଷକୁ ସୁସ୍ଥ, ସଚେତନ ଓ ସନ୍ତୁଳିତ ଜୀବନ ବଞ୍ଚିବାର କଳା ଶିଖାଏ। ‘ଯୋଗ’ ଶବ୍ଦଟି ସଂସ୍କୃତ ଧାତୁ ‘ଯୁଜ୍’ରୁ ଆସିଛି, ଯାହାର ଅର୍ଥ ହେଉଛି ଯୋଡ଼ିବା ବା ଏକତ୍ର କରିବା। ଯୋଗ ମଣିଷର ଶରୀର, ମନ ଓ ଆତ୍ମାକୁ ଏକତ୍ର କରି ସମ୍ପୂର୍ଣ୍ଣ ସୁସ୍ଥତା ଆଣିଥାଏ। ହଜାର ହଜାର ବର୍ଷ ପୂର୍ବରୁ ଭାରତରେ ଉଦ୍ଭବ ହୋଇଥିବା ଏହି ପରମ୍ପରା ଆଜି ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଓ ଶାନ୍ତିର ପ୍ରତୀକ ଭାବେ ପରିଚିତ। ୨୦୧୪ ମସିହାରେ ଜାତିସଂଘର ସାଧାରଣ ସଭାରେ ଭାରତର ପ୍ରସ୍ତାବକୁ ୧୭୭ଟି ଦେଶ ସମର୍ଥନ କରିଥିଲେ। ଫଳସ୍ୱରୂପ ୨୦୧୫ ମସିହାରୁ ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି। ବର୍ଷର ସବୁଠାରୁ ଦୀର୍ଘ ଦିନ ହୋଇଥିବାରୁ ଏହି ତାରିଖର ବିଶେଷ ମହତ୍ତ୍ୱ ରହିଛି। ଆଧୁନିକ ଜୀବନଶୈଳୀରେ ମାନସିକ ଚାପ, ଅନିୟମିତ ଖାଦ୍ୟାଭ୍ୟାସ ଓ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ମଧୁମେହ, ରକ୍ତଚାପ, ମେଦବହୁଳତା, ହୃଦରୋଗ ଓ ମାନସିକ ଅବସାଦ ଭଳି ରୋଗ ବଢ଼ି ଚାଲିଛି। ଏଭଳି ପରିସ୍ଥିତିରେ ଯୋଗ ଏକ ପ୍ରାକୃତିକ ଓ ପ୍ରଭାବଶାଳୀ ସମାଧାନ ଭାବେ ଉଭା ହୋଇଛି। ନିୟମିତ ଯୋଗାଭ୍ୟାସ ଶରୀରକୁ ସୁଦୃଢ଼ କରିବା ସହିତ ମନକୁ ଶାନ୍ତ ଓ ଏକାଗ୍ର କରିଥାଏ। ଯୋଗର ବିଭିନ୍ନ ଅଙ୍ଗ ମଧ୍ୟରେ ଆସନ, ପ୍ରାଣାୟାମ, ଧ୍ୟାନ ଓ ଶୁଦ୍ଧିକ୍ରିୟା ପ୍ରମୁଖ। ତାଡାସନ, ଭୁଜଙ୍ଗାସନ, ବଜ୍ରାସନ, ତ୍ରିକୋଣାସନ ଓ ସୂର୍ଯ୍ୟନମସ୍କାର ଭଳି ଆସନ ଶରୀରକୁ ସକ୍ରିୟ ଓ ନମନୀୟ କରେ। ଅନୁଲୋମ-ବିଲୋମ, କପାଳଭାତି ଓ ଭ୍ରାମରୀ ପ୍ରାଣାୟାମ ଶ୍ୱାସକ୍ରିୟାକୁ ସୁଦୃଢ଼ କରି ମାନସିକ ପ୍ରଶାନ୍ତି ପ୍ରଦାନ କରେ। ଧ୍ୟାନ ମନର ଚଞ୍ଚଳତା ଦୂର କରି ଆତ୍ମିକ ବିକାଶର ପଥ ପ୍ରଶସ୍ତ କରିଥାଏ। ଆୟୁର୍ବେଦ ଓ ଯୋଗ ପରସ୍ପର ପରିପୂରକ। ଆୟୁର୍ବେଦ ଯେଉଁଠାରେ ସୁସ୍ଥ ଜୀବନଶୈଳୀ ଓ ରୋଗ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଏ, ସେଠାରେ ଯୋଗ ଶରୀର ଓ ମନକୁ ସନ୍ତୁଳିତ ରଖି ସ୍ୱାସ୍ଥ୍ୟର ସୁରକ୍ଷା କରେ। ଉଭୟର ସମନ୍ୱୟ ଏକ ସୁସ୍ଥ ଓ ସୁଖମୟ ଜୀବନର ଆଧାର ହୋଇପାରେ। ଆନ୍ତର୍ଜାତୀୟ ଯୋଗ ଦିବସ କେବଳ ଏକ ଦିନର ଉତ୍ସବ ନୁହେଁ, ବରଂ ସୁସ୍ଥ ଜୀବନ ପ୍ରତି ଏକ ସଂକଳ୍ପ। ଯଦି ସମସ୍ତେ ଯୋଗକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରନ୍ତେ, ତେବେ ସୁସ୍ଥ ଶରୀର, ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନରେ ନିଜର ଭାଗିଦାରୀତା ଓ ଯୋଗଦାନ ରହିପାରିବ।
“ଯୋଗ କେବଳ ବ୍ୟାୟାମ ନୁହେଁ, ଏହା ଜୀବନକୁ ସୁନ୍ଦର ଓ ସାର୍ଥକ କରିବାର ଏକ ସମ୍ପୂର୍ଣ୍ଣ ବିଜ୍ଞାନ।”ଏଣୁ ଯୋଗ ପ୍ରତିଟି ଜୀବନ ପାଇଁ ଅଭ୍ୟାସରେ ପରିଣତ ହେଲେ ନୀରୋଗ ଓ ଦୀର୍ଘାୟୁ ଜୀବନ ଅବଶ୍ୟ ସମ୍ଭବପର ହୋଇପାରିବ।