ବିନିକା : ବିନିକା ଥାନା ଅନ୍ତର୍ଗତ ସିଙ୍ଘିଯୁବା ଗ୍ରାମରେ ବିନିକା ବ୍ଲକ ଅଧ୍ୟକ୍ଷା ଦୀପ୍ତିରେଖା ନନ୍ଦଙ୍କ ଘର ଉପରକୁ କିଛି ଦୁର୍ବୃତ୍ତ ଗୁଳି ମାଡ଼ କରିଥିବା ଜଣାପଡ଼ିଛି। ଗତରାତିରେ କିଛି ଦୁର୍ବୃତ୍ତ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଘର ଭିତରେ ଓ ବାହାରେ ଥିବା ଗାଡ଼ି ଉପରକୁ ଗୁଳି ଚାଳନା କରିଥିଲେ। ଏଥିସହ ଏକ ଗାଡ଼ିକୁ ଭାଙ୍ଗି ଚୁରମାର ମଧ୍ୟ କରିଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ପରିବାରର କୌଣସି ସଦସ୍ୟଙ୍କ କ୍ଷତି ହୋଇନାହିଁ। ଖବର ପାଇ ବିନିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସୁବର୍ଣ୍ଣପୁର ଏସ୍‌ପି ମଧ୍ୟ ପହଞ୍ଚି ଘଟଣାର ସମୀକ୍ଷା କରିଥିଲେ। ସାଇଣ୍ଟିଫିକ୍ ଟିମ୍‌ର ସହାୟତାରେ ତଦନ୍ତ ଆଗକୁ ବଢ଼ାଯାଉଛି। ସିସିଟିଭି ଫୁଟେଜ୍ ଯାଞ୍ଚରୁ ଏକ କାରରେ ପ୍ରାୟ ୫ ଜଣ ଦୁର୍ବୃତ୍ତ ଆସିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଦୀପ୍ତିରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ପୂର୍ବତନ ବିନିକା ବ୍ଲକ ଅଧ୍ୟକ୍ଷ ତଥା ବିଜେଡିର ସୁବର୍ଣ୍ଣପୁର ଜିଲ୍ଲା ଯୁବ ସଭାପତି ଅଟନ୍ତି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ରାଜନୈତିକ ଉଦ୍ଦେଶ୍ୟରେ ଏଭଳି ଆକ୍ରମଣ ହୋଇଥିବା ଚର୍ଚ୍ଚା ହେଉଛି।