ଅହମ୍ମଦାବାଦ: ବିମାନର ବାଥରୁମ୍ ସ୍ପିକର୍‌ରୁ ବାହାରିଲା କୋଟି କୋଟି ଟଙ୍କାର ସୁନା। ଯାଞ୍ଚ ବେଳେ ସ୍ପିକର ବକ୍ସ ଭିତରୁ ୨୪ଟି ବିଦେଶୀ ମାର୍କାର ସୁନା ବିସ୍କୁଟ ଜବତ ହୋଇଛି। ଅହମ୍ମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍ସ ବିଭାଗକୁ ମିଳିଛି ଏହି ବଡ଼ ସଫଳତା। ବିମାନ ଇଞ୍ଜିନିୟରମାନଙ୍କ ସହାୟତାରେ ଯାଞ୍ଚ କରିବା ସମୟରେ, ସମ୍ମୁଖ ଭାଗରେ ଥିବା ଶୌଚାଳୟର ସ୍ପିକର ବକ୍ସ ଭିତରୁ କଳା ପ୍ଲାଷ୍ଟିକ୍ ଟେପ୍‌ରେ ଗୁଡ଼ାଯାଇଥିବା ଦୁଇଟି ପାଉଚ୍ ମିଳିଥିଲା। ଅଧିକାରୀମାନେ ସ୍ପିକର୍‌କୁ ଖୋଲିବା ପରେ ସେଥିରୁ ବିଦେଶୀ ମାର୍କାର ୨୪ଟି ସୁନା ବିସ୍କୁଟ୍ ଉଦ୍ଧାର କରିଛନ୍ତି। କଷ୍ଟମ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚୋରା ଚାଲାଣକାରୀ ସୁନାକୁ ଶୌଚାଳୟ ଭିତରେ ଲୁଚାଇ ରଖିଥିଲେ, ଯେମିତି କୌଣସି ଜଣେ ଘରୋଇ ଯାତ୍ରୀ କିମ୍ବା ଗ୍ରାଉଣ୍ଡ କ୍ରୁ ସଦସ୍ୟ ପରେ ଏହାକୁ ସେଠାରୁ ବାହାର କରି ନେଇପାରିବେ। କିନ୍ତୁ ଏୟାରପୋର୍ଟରେ କଡ଼ା ଚେକିଂ ଦେଖି ଧରାପଡ଼ିବା ଭୟରେ ଚୋରା ଚାଲାଣକାରୀ ସୁନାକୁ ସେମିତି ଛାଡ଼ି ପଳାଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ସୁନା ଉପରେ କେହି ଦାବି କରିନଥିବାରୁ, କଷ୍ଟମ୍ସ ଆକ୍ଟ ୧୯୨ ଅନୁଯାୟୀ ଏହାକୁ ଜବତ କରାଯାଇଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରହିଛି।