ପୁରୀ: ପୁରୀ ଶ୍ରୀମନ୍ଦିରରୁ ଅପମିଶ୍ରିତ ୩୦ ପ୍ୟାକେଟ ଘିଅ ଜବତ କରାଯାଇଛି। ଶ୍ରୀମନ୍ଦିର ରୋଷ ଘରକୁ ବେଆଇନ ଭାବେ ବନସ୍ପତି କମ୍ପାନୀର ନକଲି ଘିଅ ନେବାବେଳେ ଶ୍ରୀମନ୍ଦିର ପ୍ରଶାସନ ୩୦ ପ୍ୟାକେଟ୍ ଘିଅ ଜବତ କରିଛି। ମହାପ୍ରସାଦ ପ୍ରସ୍ତୁତିରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ କଟକଣା ଥିବାବେଳେ ନିୟମ ଉଲ୍ଲଂଘନ କରି ଅନ୍ୟ ବ୍ରାଣ୍ଡର ଘିଅ ନିଆଯାଉଥିବା ଜଣାପଡ଼ିଛି। ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ କେବଳ ଓମଫେଡ୍ ଘିଅ ବ୍ୟବହାର କରିବାକୁ ପୂର୍ବରୁ ନିର୍ଦ୍ଦେଶ ରହିଛି। ଅନ୍ୟ କୌଣସି ଘିଅ ଶ୍ରୀମନ୍ଦିର ଭିତରକୁ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି। କେଉଁ ସୁଆର ସେବକ ଏହି ନକଲି ଘିଅ ନେଉଥିଲେ ଏବଂ ଏହା ପଛରେ କାହାର ହାତ ଅଛି ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଜାରି ରହିଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ସୂତ୍ରରୁ ପ୍ରକାଶ। ମହାପ୍ରସାଦର ଶୁଦ୍ଧତା ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି।
