ଆଫଗାନିସ୍ତାନ ଲୋକଙ୍କ ପାଇଁ ଉପହାର ପଠାଇଲା ଭାରତ

ଆଫଗାନିସ୍ତାନ ବାସୀଙ୍କ ପାଇଁ ଉପହାର ସ୍ୱରୂପ ଔଷଧ ଓ ଡାକ୍ତରୀ ଉପକରଣ ପଠାଇଛି ଭାରତ । ଗତକାଲି କାବୁଲରୁ ୯୪ ଆଫଗାନ ଶିଖ ଓ ହିନ୍ଦୁ ଏବଂ ୧୦ ଜଣ ଭାରତୀୟ ଭାରତ ଆସିଥିବା ବେଳେ, ଉକ୍ତ ସ୍ବତନ୍ତ୍ର ବିମାନରେ ଔଷଧ ଓ ଡାକ୍ତରୀ ଉପକରଣ ସହ କାବୁଲ ଫେରିଯାଇଛି । କାବୁଲରେ ଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅଧିକାରୀମାନଙ୍କୁ ଏହି ଔଷଧ ହସ୍ତାନ୍ତର କରାଯିବ ।

ଏହି ବିମାନରେ ଭାରତ ସରକାରଙ୍କ ପକ୍ଷରୁ ମୋଟ ୧.୬ ମେଟ୍ରିକ ଟନ ଜୀବନ ରକ୍ଷାକାରୀ ଔଷଧ ରହିଛି ।

ଗତ ଅଗଷ୍ଟ ମାସରେ ତାଲିବାନ ଦ୍ବାରା ଆଫଗାନିସ୍ତାନ ଦଖଲ ପରେ ପ୍ରଥମ ଥର ପାଇଁ ଭାରତ ପକ୍ଷରୁ ମାନବୀୟ ସହାୟତା ପଠାଯାଇଛି । ଆଫଗାନିସ୍ତାନର ତାଲିବାନ ସରକାରକୁ ଭାରତ ଏପର୍ଯ୍ୟନ୍ତ ସ୍ବୀକୃତି ଦେଇନଥିଲେ ବି ମାନବୀୟ ସହାୟତା ଦେବାକୁ ପୂର୍ବରୁ ଘୋଷଣା କରିଥିଲା । ଆଗାମୀ ଦିନରେ ଆଫଗାନିସ୍ତାନକୁ ପ୍ରାୟ ୫୦ ହଜାର ଟନ ଗହମ ଯୋଗାଇବାକୁ ଭାରତ ପ୍ରତିଶ୍ରୁତି ଦେଇଛି । ପାକିସ୍ତାନ ବାଟ ଦେଇ ସଡ଼କ ପଥରେ ଏହି ଗହମ ଆଫଗାନିସ୍ତାନକୁ ଯିବ ।

Related Posts