ଇସଲାମାବାଦ(ସତ୍ୟପାଠବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଅନ୍ୟାୟ ଭାବେ ଜେଲରେ ରଖାଯାଇଛି। ତାଙ୍କୁ ତୁରନ୍ତ ମୁକ୍ତି କରାଯାଉ ବୋଲି ପାକିସ୍ତାନ ତେହରିକ୍-ଇ-ଇନସାଫ୍ (PTI) ପକ୍ଷରୁ ଦାବି କରାଯାଇଛି। ଯାହାକୁ ନେଇ ପାକିସ୍ତାନରେ ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୀର୍ଘ ସମୟ ଧରି ଜେଲରେ ଥିବା ବେଳେ, ତାଙ୍କ ଦଳ ପାକିସ୍ତାନ ତେହରିକ୍-ଇ-ଇନସାଫ୍ (PTI) ବଡ଼ ଧରଣର ଆନ୍ଦୋଳନର ଘୋଷଣା କରିଛି । ଦଳ ପକ୍ଷରୁ ସେପ୍ଟେମ୍ବର ୨୭ ତାରିଖରେ ଇସଲାମାବାଦ ଅଭିମୁଖେ ଏକ ବିଶାଳ ମାର୍ଚ୍ଚ କରାଯିବ ବୋଲି କୁହାଯାଇଛି । PTIର ବରିଷ୍ଠ ନେତାମାନେ କହିଛନ୍ତି ଯେ, ଇମ୍ରାନ୍ ଖାନଙ୍କ ବିରୋଧରେ ଚାଲିଥିବା ମାମଲା ରାଜନୈତିକ ପ୍ରେରଣାପ୍ରାପ୍ତ ଏବଂ ତାଙ୍କୁ ଅନ୍ୟାୟ ଭାବେ ଜେଲରେ ରଖାଯାଇଛି । ଯଦି ସେପ୍ଟେମ୍ବର ୨୭ ପୂର୍ବରୁ ନ୍ୟାୟ ନମିଳେ କିମ୍ବା ତାଙ୍କ ମୁକ୍ତି ପାଇଁ ପଦକ୍ଷେପ ନିଆଯିବ ନାହିଁ, ତେବେ ସମଗ୍ର ଦେଶରୁ ସମର୍ଥକମାନେ ରାଜଧାନୀ ଇସଲାମାବାଦରେ ଏକାଠି ହୋଇ ବ୍ୟାପକ ପ୍ରଦର୍ଶନ କରିବେ । ଉଲ୍ଲେଖଯୋଗ୍ୟ ଯେ, ଇମ୍ରାନ୍ ଖାନ୍ ବିଭିନ୍ନ ମାମଲାରେ ଗିରଫ ହେବା ପରଠାରୁ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଲାଗି ରହିଛି ।
