ଲକ୍ଷ୍ନୌ(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ବର୍ଷା ବିତ୍ପାତରେ ଲୋକଙ୍କ ଜୀବନ ଯାଉଛି ତ କେଉଁଠି ଘର ଭୁଶୁଡ଼ି। ପ୍ରକୃତିର କରାଳ ରୂପରେ ଜୁଝି ହେଉଛନ୍ତି ଲୋକେ। ଦୁଇଟି ପୃଥକ୍ ଦୁର୍ଘଟଣାରେ ଦୁଇଜଣ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଆଜି ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ ମଧ୍ୟ ସାମିଲ ଅଛନ୍ତି । ପରିବାରର ୭ ଜଣ ସଦସ୍ୟ ଶୋଇଥିବା ବେଳେ ଆକସ୍ମିକ ଭାବେ ଘରଟି ଭୁଶୁଡ଼ି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ଅମନ (୨୮) ନାମକ ଜଣେ ଯୁବକ ଭଗ୍ନାବଶେଷ ତଳୁ କୌଣସି ପ୍ରକାରେ ବାହାରି ପଡ଼ୋଶୀଙ୍କୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ସମସ୍ତଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ୬ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।