ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତ କରି ବଦଳି ଷଡ଼ଯନ୍ତ୍ର କରିବା ଅଭିଯୋଗରେ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କୁ ଗିରଫ କରାଯାଇଛି। ସେ କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ସହକାରୀ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଥିଲେ। ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ଗିରଫ ନେଇ ସୂଚନା ଦେଲେ ଜୋନ-୧ ଏସପି। ତେବେ ବାଂଶପାଳ ବ୍ଲକର କନିଷ୍ଠ ଯନ୍ତ୍ରୀ ମୋନାଲିସା ବେହେରାଙ୍କୁ ଖୋଜୁଛି ପୋଲିସ। ନକଲି ଲେଟରପ୍ୟାଡ ଓ ଜାଲ ଦସ୍ତଖତରେ ଦୁଇ ଜଣ ଯନ୍ତ୍ରୀ ବଦଳି ହୋଇଥିବା ଅଭିଯୋଗ ହୋଇଥିଲା। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବଙ୍କ ଏତଲା ପରେ ପୋଲିସ ତଦନ୍ତ କରି ଯନ୍ତ୍ରୀଙ୍କୁ ଗିରଫ କରିଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ଜାଲି କରିବା, ସରକାରୀ ଡି.ଓ. ପ୍ୟାଡ୍ର ଦୁରୁପଯୋଗ କରିବା ଏବଂ ଜାଲ୍ ଦସ୍ତଖତ ବ୍ୟବହାର କରି ବଦଳି ହାସଲ କରିବା ଉଦ୍ଦେଶ୍ୟରେ ଷଡ଼୍ଯନ୍ତ୍ର ରଚାଯାଇଥିବା ଅଭିଯୋଗରେ ଦୁଇ ଜଣ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଏଫଆଇଆର୍ ରୁଜୁ ହୋଇଥିଲା। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ନିରଞ୍ଜନ କୁମାର ସା କ୍ୟାପିଟାଲ ଥାନାର ଆଇଆଇସିଙ୍କୁ ଲେଖିଥିବା ଚିଠିରେ ବାଂଶପାଳ ବ୍ଲକ୍ର ସହକାରୀ ଯନ୍ତ୍ରୀ ମୋନାଲିସା ବେହେରା ଏବଂ ହରିଚନ୍ଦନପୁର ବ୍ଲକ୍ର ସହକାରୀ ଯନ୍ତ୍ରୀ ଲକ୍ଷ୍ମଣ ହେମ୍ବ୍ରମଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସରକାରୀ କର୍ମଚାରୀଙ୍କ ବଦଳି ସୁପାରିଶ କରି ଏକ ନକଲି ସରକାରୀ ଚିଠିରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇଙ୍କ ଦସ୍ତଖତ ଜାଲିଆତି ଅଭିଯୋଗ ହୋଇଛି। ଯନ୍ତ୍ରୀ ଲକ୍ଷ୍ମଣଙ୍କୁ ହେମ୍ବ୍ରମଙ୍କ ଗିରଫ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାର ବଂଶପାଳ ବ୍ଲକରେ ନିଯୁକ୍ତ କନିଷ୍ଠ ଇଞ୍ଜିନିୟର ମୋନାଲିସା ବେହେରାଙ୍କୁ ମଧ୍ୟ ଖୋଜୁଛନ୍ତି। ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ କ୍ୟାପିଟାଲ ପୋଲିସରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ଷଡ଼ଯନ୍ତ୍ରର ପରିମାଣ ନିର୍ଣ୍ଣୟ କରିବା ଏବଂ ଜାଲ୍ କାଗଜପତ୍ର ପ୍ରସ୍ତୁତି ଏବଂ ପ୍ରସାରଣରେ ସମ୍ପୃକ୍ତ ସମସ୍ତଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।
