ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି। ଯୋଗୀ ଆଦିତ୍ୟନାଥ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ‘ଏସବିଏସପି’ ମୁଖ୍ୟ ଓପି ରାଜଭର ଦାବି କରି କହିଛନ୍ତି ଯେ, ସମାଜବାଦୀ ପାର୍ଟି ଭିତରେ ଖୁବଶୀଘ୍ର ଏକ ବଡ଼ ବିଭାଜନ ହେବାକୁ ଯାଉଛି । ଦଳରେ କନ୍ଦଳ ଦେଖାଯାଇଥିବାବେଳେ ସମଗ୍ର ସପା ଏବେ ବିଜେପିରେ ଯୋଗଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ନିଜର ଏକ ଟ୍ୱିଟ୍ ଜରିଆରେ ରାଜଭର ସୂଚନା ଦେଇଛନ୍ତି ଯେ, ସପାର ବରିଷ୍ଠ ନେତା ରାମ ଗୋପାଳ ଯାଦବ ଗୁପ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଏକ ଗୁରୁତ୍ୱପୂର୍ଣ୍ଣ ଚିଠି ହସ୍ତାନ୍ତର କରିଛନ୍ତି। ପୂର୍ବରୁ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ଘଟିଥିବା ବଡ଼ ଧରଣର ରାଜନୈତିକ ଉତ୍ଥାନପତନ ଏବେ ଉତ୍ତର ପ୍ରଦେଶରେ ଦୋହରାଇବାକୁ ଯାଉଛି ବୋଲି ସେ ଦୃଢ଼ ସଂକେତ ଦେଇଛନ୍ତି। ରାଜଭର ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ଖଣି ଦୁର୍ନୀତି ଓ ଗୋମତୀ ନଦୀ ଫ୍ରଣ୍ଟ ଦୁର୍ନୀତି ପ୍ରସଙ୍ଗ ଉଠାଇ ସପା ନେତୃତ୍ୱକୁ ତୀବ୍ର ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଏହି ଦୁର୍ନୀତି ପଛର ମାଷ୍ଟରମାଇଣ୍ଡ କିଏ, ତାହା ସମଗ୍ର ଉତ୍ତର ପ୍ରଦେଶବାସୀ ଭଲ ଭାବେ ଜାଣନ୍ତି। ବର୍ତ୍ତମାନ ଏହି ଦୁର୍ନୀତିର ମାମଲାଗୁଡ଼ିକରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଯାଞ୍ଚ କଡ଼ାକଡ଼ି କରାଯାଉଥିବାରୁ ନିଜକୁ ବଞ୍ଚାଇବା ପାଇଁ ସମାଜବାଦୀ ପାର୍ଟି ଅତି ଚିନ୍ତିତ ହୋଇପଡ଼ିଛି। ଏହି ଅଭିଯୋଗ ପରେ ସପା ଶିବିରରେ କମ୍ପନ ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ୟୁପି ରାଜନୀତି କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
