ବାଲେଶ୍ବର,( ସତ୍ୟପାଠବ୍ୟୁରୋ):  ଜଣେ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଧରି ଏକତରଫା ପ୍ରେମ କରୁଥିବା ଜଣେ ଶିକ୍ଷକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଶିକ୍ଷୟତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଛାତିଥରା ଘଟଣା ବାଲେଶ୍ୱର ଔପଦାରେ ଘଟିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଧରି ଏକତରଫା ପ୍ରେମ କରୁଥିବା ଜଣେ ଶିକ୍ଷକ ଶେଷରେ ତାଙ୍କ ପରିବାର ଉପରେ ଭୁଜାଲିରେ ଆକ୍ରମଣ କରିଛି। ଔପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ୨୦୨୨ ମସିହାରୁ ସେଠାରେ ଶିକ୍ଷକତା କରୁଥିବା ପୃଥ୍ୱୀରାଜ କର ଏକତରଫା ପ୍ରେମ କରୁଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା। ଶିକ୍ଷୟିତ୍ରୀଙ୍କ ପରିବାର ପକ୍ଷରୁ ମଧ୍ୟ ଏନେଇ ଅଭିଯୋଗ କରାଯାଇଥିଲା। ଏହାକୁ ନେଇ ପୃଥ୍ୱୀରାଜଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା। ସେହିଦିନଠାରୁ ପ୍ରତିଶୋଧ ନିଆଁରେ ଜଳୁଥିବା ପୃଥ୍ବୀରାଜ ଆଜି ଭୟଙ୍କର କାଣ୍ଡ ଘଟାଇଛନ୍ତି। ଭୁଜାଲି ଧରି ଶିକ୍ଷୟିତ୍ରୀ, ତାଙ୍କ ବାପା କୃଷ୍ଣ ସେଠୀ, ମା’ ପ୍ରଭାସିନୀ, ଜେଜେବାପା ବାବାଜୀ ଏବଂ ଭାଇ ଜ୍ୟୋତିର୍ମୟଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ଔପଦା ଡାକ୍ତରଖାନା ଏବଂ ପରେ ସମସ୍ତଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତ ଶିକ୍ଷକକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଲୋକେ ।