ନୂଆଦିଲ୍ଲୀ: ଖୁବଶୀଘ୍ର ସାବାଡ୍ ହେବେ ଆତଙ୍କବାଦୀ। ଗୋଟିଏ ପଟେ ବିଶ୍ୱ ଦରବାରରେ ଭାରତର ଦବଦବା ବଢୁଥିବା ବେଳେ ଅନ୍ୟପଟେ ଆତଙ୍କବାଦ ବିରୋଧରେ ସ୍ୱର ଉଠାଇବା ପାଇଁ ଭାରତକୁ ଅନ୍ତର୍ଜାତୀୟ ମଞ୍ଚରେ ବଡ ସଫଳତା  ମିଳିଛି। ପ୍ରଥମ ଥର ପାଇଁ ଭାରତକୁ ମନି ଲଣ୍ଡରିଂ ଓ ଟେରର ଫାଇନାନସିଂ ବିରୋଧରେ ଲଢିବା ଦିଗରେ ସଫଳତା ମିଳିଛି । ୧୯୯୪ ବ୍ୟାଚ ଆଇଏଏସ ଅଧିକାରୀ ତଥା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସଚିବ ବିବେକ ଅଗ୍ରଓ୍ୱାଲଙ୍କୁ ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ ବା ଏଫଏଟିଏଫର ଉପାଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ପ୍ରଥମ ଥର ପାଇଁ ଭାରତକୁ ଏଫଏଟିଏଫ ଭଳି ବୈଶ୍ୱିକ ସଂସ୍ଥାରେ ଉପାଧ୍ୟକ୍ଷ ପଦ ମିଳିଛି। ବିବେକଙ୍କୁ ସଂସ୍ଥାର କୋର୍ ସଦସ୍ୟମାନେ ଚୟନ କରିଛନ୍ତି। ସେ ଏହି ସଂସ୍ଥାକୁ ଆଗକୁ ବଢାଇବା ଦିଗରେ ସଭାପତି ବା ଅଧ୍ୟକ୍ଷଙ୍କୁ ସାହାଯ୍ୟ କରିବେ। ପ୍ୟାରିସ ସ୍ଥିତ ଏଫଏଟିଏଫରେ କୌଣସି ଭାରତୀୟଙ୍କୁ ସମ୍ମାନଜନକ ପଦ ମିଳିବା ଦେଶ ପାଇଁ ଗୌରବର ବିଷୟ ଅଟେ। ଅନ୍ୟପଟେ ଏଫଏଟିଏଫର ଗ୍ଲୋବାଲ୍ ନେଟଓ୍ୱର୍କରେ ୨୦୦ରୁ ଅଧିକ ପ୍ରାବଧାନ ରହିଛି। ଏହି ଫୋରମରେ ଉପ ସଭାପତି ହେବା ଦେଶର କ୍ଷମତା ବୃଦ୍ଧିକୁ ଦର୍ଶାଉଛି । ଭାରତ ଆତଙ୍କବାଦ ଏବଂ ଆତଙ୍କୀ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସଫଳ ହୋଇଥିବାରୁ ଏହି ପଦ ମିଳିଛି। ଫାଇନାନସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (ଏଫଏଟିଏଫ୍) ଏକ ଅନ୍ତର୍ଜାତୀୟ ଅନୁଷ୍ଠାନ। ଏହାର ମୁଖ୍ୟାଳୟ ପ୍ୟାରିସରେ ରହିଥିବା ବେଳେ ଏହା ମନି ଲଣ୍ଡରିଂ, ଆତଙ୍କବାଦ ଗତିବିଧି ପାଇଁ ଟଙ୍କା କାରବାର ରୋକିବା ଦିଗରେ କାର୍ଯ୍ୟ କରେ। ଏହାର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ୨ ବର୍ଷ ପାଇଁ ହୋଇଥାଏ। ଏହାର ଉପାଧ୍ୟକ୍ଷ ବା ଉପସଭାପତି ଅଧ୍ୟକ୍ଷଙ୍କୁ ସଂସ୍ଥାର ଲକ୍ଷ୍ୟ ପୂରଣରେ ସହାୟତା ପ୍ରଦାନ କରିଥାନ୍ତି ।