ରାୟଗଡ଼ା: ବହୁଚର୍ଚ୍ଚିତ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଭିଡ଼ ହିଂସା ଓ ବର୍ବରତା ଘଟଣା ଏବେ ଜାତୀୟ ଗଣମାଧ୍ୟମରେ ଶିରୋନାମା ପାଲଟିଥିବା ବେଳେ ଏନେଇ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିଛି । ପୋଲିସ ଏହି ଘଟଣାରେ ୩ଟି ମାମଲା ରୁଜୁ କରିବା ସହ ଗତକାଲି ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏବେ ଗିରଫ ସଂଖ୍ୟା ଏବେ ୨୦କୁ ବୃଦ୍ଧି ପାଇଛି। ଏହାସହିତ ଗିରଫ ଭୟରେ କଲ୍ୟାଣସିଂହପୁର ତେନ୍ତାଲିଗୁଡା ସମେତ ଅନ୍ଯ କିଛି ଅଞ୍ଚଳ ପୁରୁଷ ଶୂନ୍ୟ ହୋଇଯାଇଥିବା ଜଣାପଡିଛି। ଅନ୍ୟପଟେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ (ଏସପି) ରାଜ ପ୍ରସାଦ ମେଡିକାଲରେ ପହଞ୍ଚି ଦୁଇ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି। ଦୁଇ ଜଣଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଦୁହିଁଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ସେମାନଙ୍କୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପଠାଯାଇଥିବା ଏସପି ସୂଚନା ଦେଇଛନ୍ତି। ପ୍ରକୃତରେ ପିଲା ଚୋର ସନ୍ଦେହରେ ଗତ ମଙ୍ଗଳବାର କନ୍ଧମାଳ ଜିଲ୍ଲାରେ କାର୍ଯ୍ଯରତ ଦିଲ୍ଲୀର ଜଣେ ଯୁବତୀ ଓ ଯୁବକ ଭିଡ଼ ହିଂସାର ଶିକାର ହୋଇଥିଲେ । ଦିଲ୍ଲୀ ଆଜାଦପୁର ଅଞ୍ଚଳର ସୁମନ ଝାପ୍ ଏବଂ ଗୁଜରାଟ ସୁରତର ଅର୍ପିତ ସୂତାରିଆ କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରୁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳକୁ ଯାଉଥିଲେ। ଗୁଗଲ ମ୍ୟାପ୍ ଦେଖି ଯାଉଥିବା ବେଳେ ରାୟଗଡ଼ା କଲ୍ୟାଣସିଂହପୁର ପଞ୍ଚାୟତ ଇନ୍ତାଲିଗୁଡ଼ାଠାରେ ପହଞ୍ଚିଥିଲେ। ଏହି ସମୟରେ ସ୍ଥାନୀୟ ବାସିନ୍ଦା ଦୁଇ ଜଣଙ୍କୁ ପିଲା ଚୋର ସନ୍ଦେହରେ ଅଟକାଇ ନିର୍ଧୂମ ମାଡ଼ ମାରିଥିଲେ। ଏହାସହିତ ଉକ୍ତ ଯୁବତୀଙ୍କୁ ବିବସ୍ତ୍ର କରି ଲୋକ ମାନେ ମାଡ ମାରିବା ସହ ଦୁର୍ବ୍ଯବହାର କରିଥିଲେ, ଯାହାକୁ ସଭ୍ଯ ସମାଜ ନିନ୍ଦା କରିଛନ୍ତି । ଘଟଣା ଘଟିବା ପରେ ପୋଲିସ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ଉକ୍ତ ସ୍ଥାନରେ ମଧ୍ଯ ଲୋକେ ଲଙ୍କାକାଣ୍ଡ କରିଥିଲେ । ଏହି ବର୍ବରତାକୁ ସବୁ ସ୍ତରରେ ନିନ୍ଦା କରାଯାଇଥିବା ବେଳେ ଆଗକୁ ଗିରଫ ସଂଖ୍ଯା ବଢିପାରେ ବୋଲି କୁହାଯାଇଛି ।
