କରୋନା ଯୁଦ୍ଧରେ ସାମିଲ ହେଲା ଆଉ 2ଟି ଟିକା: କୋର୍ବେଭାକ୍ସ ଏବଂ କୋଭୋଭାକ୍ସ

ସତ୍ୟପାଠ 28/12 ନୂଆଦିଲ୍ଲୀ: କରୋନା ଯୁଦ୍ଧରେ ସାମିଲ ହେଲା ଆଉ 2ଟି ଟିକା । ଦେଶରେ ଆଉ 2 ଟିକାକୁ ମିଳିଲା ଗ୍ରୀନ ସିଗନାଲ । କୋର୍ବେଭାକ୍ସ ଏବଂ କୋଭୋଭାକ୍ସକୁ ମିଳିଲା ଅନୁମତି। ଉଭୟ ଟିକାର ଜରୁରିକାଳୀନ ବ୍ୟବହାର ନେଇ ଅନୁମତି ଦେଲା CDSCO । ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁକ ମାଣ୍ଡଭୀୟ । ସେହିପରି ଆଣ୍ଟି ଭାଇରାଲ ଡ୍ରଗ୍ସ ମୋଲନୁପିରାଭିରକୁ ମଧ୍ୟ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଛି । କୋର୍ବେଭାକ୍ସ ଟିକା ହେଉଛି ଭାରତର ପ୍ରଥମ ସ୍ୱଦେଶୀ’ ଆରବିଡି ପ୍ରୋଟିନ୍ ସବ୍-ୟୁନିଟ୍ ‘ଟିକା । ଭାରତରେ ଏହା ହେଉଛି ତୃତୀୟ ଟିକା ।

ଏହାକୁ ହାଇଦ୍ରାବାଦ ଭିତ୍ତିକ ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି। ସେହିପରି ନାନୋପାର୍ଟିକଲ୍ ଟିକା କୋଭାଭାକ୍ସକୁ ପୁଣେର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ହେବ । ଦେଶର ୧୩ଟି କମ୍ପାନୀ ଦ୍ୱାରା ଆଣ୍ଟିଭାଇରାଲ୍ ଡ୍ରଗ୍ Molnupiravir ପ୍ରସ୍ତୁତ ହେବ। ବୟସ୍କ ରୋଗୀ କିମ୍ବା COVID-19 ର ବିପଦ ଥିବା ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଏହା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହୃତ ହେବ। ମହାମାରୀ ବିରୋଧରେ ଲଢ଼େଇକୁ ଆହୁରି ଦୃଢ଼ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି। ଅନ୍ୟପଟେ ଦେଶରେ ଓମିକ୍ରନ ଆକ୍ରାନ୍ତ ମାଡି ମାଡି ଚାଲିଛି । ଏଯାବତ ଦେଶରେ 653 ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।

Related Posts