ଭୁବନେଶ୍ବର: ଲୋକସେବା ଭବନରୁ ଦୁଇ ଦୁଇଟି ତଦନ୍ତ କମିସନଙ୍କ ରିପୋର୍ଟ ଚୋରି ଘଟଣାକୁ ନେଇ ଚାଲିଛି ତନାଘନା। ଏପଟେ ତଦନ୍ତକୁ ଜୋରଦାର କରିଛି ଏସଆଇଟି। ଦୁଇ ଦୁଇଟି ତଦନ୍ତ କମିସନ ରିପୋର୍ଟ ଚୋରି ହୋଇଯିବା ନେଇ ସାରାରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ସବୁଠୁ ସୁରକ୍ଷିତ ସ୍ଥାନରୁ କିଏ ଓ କେମିତି ଫାଇଲ ଚୋରି କରିବାକୁ ଦୁଃସାହାସ କଲେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏସ୍‌ଆଇଟି ଗୃହ ବିଭାଗର ଜଏଣ୍ଟ ସେକ୍ରେଟାରୀ ଶରତ ଚନ୍ଦ୍ର ମାରାଣ୍ଡିଙ୍କୁ କରିଛି ନୋଟିସ୍। ଏ.ଏସ. ନାଇଡ଼ୁ କମିସନ ଓ ଆରଡିସି ସେଣ୍ଟ୍ରାଲ ଡିଭିଜିନ ଦେଇଥିବା ଦୁଇଟି ଯାକ ରିପୋର୍ଟ, ହୋମ ଡିପାର୍ଟମେଣ୍ଟକୁ ଆସିଥିଲା I କିନ୍ତୁ ଏହା କେମିତି ଚୋରି ହେଲା? ତାର ବିସ୍ତୃତ ତଥ୍ୟ ମଗାଯାଇଛି। ଶରତଙ୍କୁ ପୁଲିସର ରିପୋର୍ଟ ତଲବ ହୋଇଥିବାବେଳେ ହୋମ୍ ଡିପାର୍ଟମେଣ୍ଟକୁ ଆସିଥିବା ଦୁଇଟି ଯାକ ରିପୋର୍ଟ, GA ଡିପାର୍ଟମେଣ୍ଟକୁ କେବେ ଯାଇଥିଲା ? GAରୁ CMOକୁ କେବେ ଯାଇଥିଲା? କିଏ ଏହି ଫାଇଲକୁ ଗ୍ରହଣ କରିଥିଲେ? ସବୁର ଟିକିନିଖି ତଥ୍ୟ ଦେବାକୁ ରିପୋର୍ଟ ତଲବ କରାଯାଇଛି।  ତଦନ୍ତ ବେଳେ ଜଣା ପଡିଛି ଯେ, ତଦନ୍ତ ରିପୋର୍ଟ ପ୍ରଥମେ ଗୃହ ବିଭାଗ, ପରେ GA ଏବଂ ଶେଷରେ CMOକୁ ଯାଇଥିଲା I ସେହି ଦିଗରୁ ହିଁ ତନାଘନା ହେବ I ସେଥିପାଇଁ ଆସନ୍ତାକାଲି GA ଡିପାର୍ଟମେଣ୍ଟରେ ପଶି, ଛାନଭିନ କରିବ SIT I ଫାଇଲ୍ ରିସିଭ୍ କରିଥିବା ଓ ଡେସ୍‌ପାଚ୍‌ କରିଥିବା  GA ଅଧିକାରୀଙ୍କୁ ପ୍ରଶ୍ନ କରାଯିବ I GAରୁ CMOକୁ ଫାଇଲ୍ ହସ୍ତାନ୍ତରର ସମ୍ପୂର୍ଣ୍ଣ ପ୍ରକ୍ରିୟା ଜାଣିବାକୁ ସମନ୍ ଜାରି କରିବ SIT I ଆଉ ଉଭୟ CMO ଏବଂ GAର ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ପାଳି ପାଳି କରି ଥାନାକୁ ଡାକି ପଚରାଉଚରା ହେବ I ଏହାକୁ ନେଇ ତୃତୀୟ ମହଲାର ଅଧିକାରୀଙ୍କ ଭିତରେ ଛନକା ପଶିଛି।