କେନ୍ଦ୍ର ସରକାରଙ୍କ ବିରୋଧରେ ଆସନ୍ତା ୩୧ରେ ବିଶ୍ବାସ ଘାତକତା ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା

କେନ୍ଦ୍ରସରକାର ବିଶ୍ବାସ ଘାତକତା କରିଛନ୍ତି । ପ୍ରତିଶୃତି ଦେଇ ପ୍ରତିଶ୍ରୁତି ରକ୍ଷା କରିନାହାନ୍ତି । ଏନେଇ ଆସନ୍ତା ଜାନୁଆରୀ ୩୧ରେ ପୁରା ଦେଶରେ ବିଶ୍ବାସ ଘାତକତା ଦିବସ ପାଳିବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଏନେଇ ଘୋଷଣା କରିଛି SKM । ପ୍ରତ୍ୟେକ ଜିଲ୍ଲା ତଥା ବ୍ଲକ ସ୍ତରରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ମୋର୍ଚ୍ଚା ସହ ଜଡିତ ସମସ୍ତ ଫାର୍ମ ୟୁନିଅନ ମଧ୍ୟ ଏହି ପ୍ରତିବାଦକୁ ସମର୍ଥନ ଜଣାଇବେ । ଏହି କାର୍ଯ୍ୟକ୍ରମ ଦେଶର ପ୍ରାୟ ୫୦୦ ଜିଲ୍ଲାରେ ଅନୁଷ୍ଠିତ ହେବ ।

ଜାନୁୟାରୀ 15ରେ ଅନୁଷ୍ଠିତ କୃଷକ ସଂଗଠନର ସମନ୍ୱୟ କମିଟି ବୈଠକ ପରେ ଏକ ବିବୃତ୍ତିରେ ପ୍ରକାଶ ପାଇଛି । ଜାନୁଆରୀ 31ରେ ହେବାକୁ ଥିବା ବିକ୍ଷୋଭ ପ୍ରଦର୍ଶନ ବେଳେ କେନ୍ଦ୍ର ସରକାରଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିବ କୃଷକ ମୋର୍ଚ୍ଚା । ବୈଠକରେ କୃଷକମାନେ ଦାବି କରିଥିଲେ ଯେ ସରକାର ସେମାନଙ୍କୁ ପ୍ରତାରଣା କରିଛନ୍ତି । ତିନୋଟି ବିବାଦୀୟ କୃଷି ଆଇନ ରଦ୍ଧ କରିବା ଦାବି କରି ଏକ ବର୍ଷରୁ ଅଧିକ ସମୟ ଧରି ଚାଷୀମାନେ ଆନ୍ଦୋଳନ କରିଥିଲେ। କୃଷି ଆଇନ ହଟିବା ପରେ ଚାଷୀ ମାନେ ମଧ୍ୟ ଆନ୍ଦୋଳନରୁ ହଟିଥିଲେ । ଏହା ପରେ ଚାଷୀଙ୍କ ଦାବି ପୂରଣ ନେଇ ସରକାର ପ୍ରତିଶୃତି ଦେଇଥିଲେ । କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ଏହା ପୂରଣ କରିପାରିନାହାନ୍ତି ।ଗତ ଦୁଇ ସପ୍ତାହ ମଧ୍ୟରେ ବିକ୍ଷୋଭକାରୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର କିମ୍ବା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରୁ କ୍ଷତିପୂରଣ ପ୍ରଦାନ ଉପରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । MSPକୁ ନେଇ ମଧ୍ୟ କୌଣସି ପଦକ୍ଷପ ନିଆଯାଇନାହିଁ । ତେଣୁ କୃଷକ ମୋର୍ଚ୍ଚା ଦେଶର ଚାଷୀଙ୍କୁ ‘ବିଶ୍ୱାସ ଘାତକତା ଦିବସ’ ମାଧ୍ୟମରେ ସରକାରଙ୍କ ନିକଟରେ କ୍ରୋଧ ଜଣାଇବାକୁ ଆହ୍ବାନ ଦେଇଛି । SKM ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ‘ମିଶନ ଉତ୍ତରପ୍ରଦେଶ’ ଜାରି ରହିବ, ଯାହା ମାଧ୍ୟମରେ କୃଷକ ବିରୋଧୀ ଶାସନକୁ ଏକ ଶିକ୍ଷା ଦିଆଯିବ ।

SKM ବିବୃତ୍ତିରେ କୁହାଯାଇଛି ଯେ, ଉତ୍ତରପ୍ରଦେଶରେ ଚାଷୀ ମୃତ୍ୟୁକୁ ନେଇ ଅଜୟ ମିଶ୍ରାଙ୍କୁ ବରଖାସ୍ତ ନୁହେଁ ଗିରଫ କରାଯିବାକୁ ନେଇ ବିଜେପି ବିରୋଧରେ ସ୍ବର ଉଠାଇବାକୁ ଉତ୍ତରପ୍ରଦେଶର ଲୋକଙ୍କୁ ଆହ୍ବାନ ଦେବ କୃଷକ ସଂଗଠନ । ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ଫେବୃଆରୀ ୩ରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମିଶନର ଏକ ନୂତନ ପର୍ଯ୍ୟାୟ ଘୋଷଣା କରାଯିବ ।

Related Posts