କୋଇଡା,(ସତ୍ୟପାଠବ୍ୟୁରୋ): ତୁହାକୁ ତୁହା ଲାଗି ରହିଛି ବର୍ଷା। ଛାଡ଼ିବାର ନଁା ଧରୁ ନାହିଁ। ମଧ୍ୟ ରାତିରୁ ଜାରି ରହିଥÒବା ଲଗାଣ ବର୍ଷାରେ କୋଇଡା ବ୍ଲକ ଅନ୍ତର୍ଗତ କେର୍କେଟା ସାହି ନାଲି ପାଣିରେ ଉବୁଟୁବୁ ହେଉଛି। ଗଳିକନ୍ଦି ଦୂର କଥା ମୁଖ୍ୟ ରାସ୍ତାରେ ଆଣ୍ଠୁଏ ନାଲି ପାଣି ଲହଡ଼ି ମାରୁଛି। ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ସେଠାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି, ଯାହାଫଳରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଏବେ ଚାରିପାଖରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଥିବା ଦେଖିବାକୁ ମିିଳିଛି। ତେବେ ବିଭାଗୀୟ ଅଧିକାରୀଙ୍କ ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, କେର୍କେଟା ସାହି ଦେଇ କିଛି ବର୍ଷ ପୂର୍ବରୁ ଗୋଟିଏ ପ୍ରାକୃତିକ ନାଳ ପ୍ରବାହିତ ହେଉଥିଲା, ଯାହା ଦେଇ ଅଞ୍ଚଳର ସମସ୍ତ ବର୍ଷା ଜଳ ସହଜରେ ବାହାରକୁ ନିଷ୍କାସିତ ହୋଇଯାଉଥିଲା। ହେଲେ ଗତବର୍ଷ ଏହି ନାଳ ଥିବା ଜାଗାରେ ନୂଆ ଘରସବୁ ନିର୍ମାଣ ହେବା ଫଳରେ ପୁରୁଣା ନାଳଟି ସମ୍ପୂର୍ଣ୍ଣ ପୋତି ହୋଇଯାଇଛି। ନାଳ ବନ୍ଦ ହୋଇଯିବା ପରେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ପାଇଁ ବିକଳ୍ପ ଡ୍ରେନେଜ୍ ବ୍ୟବସ୍ଥା କରାଯାଇନାହିଁ। ଫଳରେ ଏବେ ବର୍ଷା ଜଳ ଯିବା ପାଇଁ ଆଉ କୌଣସି ବାଟ ନଥିବାରୁ ସମ୍ପୂର୍ଣ୍ଣ ବର୍ଷା ପାଣି ସାହି ଭିତରେ ଜମି ରହି ଏହି ସଂଘାତିକ ସ୍ଥିତି ସୃଷ୍ଟି କରିଛି। ଫଳରେ ଲୋକେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, ମଧ୍ୟ ରାତିରୁ ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିଲା। ଏହାର ପ୍ରଭାବରେ ହଠାତ୍ ପାହାଡ଼ରୁ ମାଡ଼ି ଆସିଲା ନାଲି ପାଣି। ଚାହୁଁ ଚାହଁୁ ସାହି ପଶିବା ଆରମ୍ଭ କରିଥିଲା। କେହି କିଛି ବୁଝିବା ପୂର୍ବରୁ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାଇଥିଲା। ଫଳରେ ଘରେ ରଖାଯାଇଥିବା ଚାଉଳ, ଆଟା, ଡାଲି ପରି ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଓ ଅାସବାବପତ୍ର ପାଣିରେ ଭାସି ଯାଇ ନଷ୍ଟ େହାଇଯାଇଥିଲା।
ଉଲ୍ଳେଖଯୋଗ୍ୟ, କେନ୍ଦୁଝର ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି। କୋଇଡା ବ୍ଲକ୍ କେନ୍ଦୁଝର ସୀମାକୁ ଲାଗି ରହିଥିବାରୁ ଏଠାରେ ମଧ୍ୟ ପ୍ରବଳ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ବ୍ଲକର ବିଭିନ୍ନ ସ୍ଥାନରେ ବର୍ଷାଜଳ ଜମି ରହିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ବର୍ଷା ଜାରି ରହିଥିବାରୁ ସ୍ଥିତି ଆହୁରି ବିଗିଡ଼ିବା ଆଶଙ୍କା ରହିଛି।
