ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନକୁ ନେଇ ବିବାଦ ଗୁରୁବାର ସୁପ୍ରିମକୋର୍ଟରେ ନୂଆ ମୋଡ଼ ନେଇଛି। ଓଡ଼ିଶା DGP ଚୟନ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ସୁପ୍ରିମକୋର୍ଟ ୟୁନିଅନ୍ ପବ୍ଲିକ ସର୍ଭିସ କମିଶନ (UPSC)କୁ ଚୟନ ପ୍ରକ୍ରିୟା ଚୂଡ଼ାନ୍ତ ନକରିବାକୁ କହିଛନ୍ତି।

ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୮ରେ ହେବ। ସେପର୍ଯ୍ୟନ୍ତ DGP ଚୟନ ପାଇଁ UPSCର ପ୍ରସ୍ତାବିତ ବୈଠକକୁ ସ୍ଥଗିତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହିଁ ଏହି ବୈଠକ ହେବାର ସମ୍ଭାବନା ଥିବା ନେଇ ବରିଷ୍ଠ ଆଇନଜୀବୀ ପି. ଚିଦମ୍ବରମ୍ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

➡️ପ୍ରକାଶ ସିଂହ ରାୟ ଉଲ୍ଲଂଘନ ଅଭିଯୋଗ

ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ସମ୍ମୁଖରେ ପି. ଚିଦମ୍ବରମ୍ ଏହି PIL ଉପସ୍ଥାପନ କରିଥିଲେ। ଆବେଦନରେ ଅଭିଯୋଗ ହୋଇଛି ଯେ, ଓଡ଼ିଶାର DGP ଚୟନ ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ପ୍ରସିଦ୍ଧ ପ୍ରକାଶ ସିଂହ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ହେଉନାହିଁ।

ଚିଦମ୍ବରମ୍ କହିଥିଲେ, ମାମଲାଟି ଆଜିର ତାଲିକାରେ ଥିଲେ ମଧ୍ୟ ଏହା ତୁରନ୍ତ ଶୁଣାଣି ହେବାର ସମ୍ଭାବନା ନଥିଲା। କିନ୍ତୁ UPSC ଆଜି DGP ଚୟନ ପାଇଁ ବୈଠକ କରିବାକୁ ଥିବାରୁ ସେ କୋର୍ଟରେ ମାମଲାଟିକୁ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ।

➡️ ଅଧିକାରୀଙ୍କୁ ପଦୋନ୍ନତି ନେଇ ପ୍ରଶ୍ନ

ଶୁଣାଣି ସମୟରେ ଚିଦମ୍ବରମ୍ ଅଭିଯୋଗ କରିଥିଲେ ଯେ, ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ହେବା ପୂର୍ବରୁ ଜଣେ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ଏହା ମାଧ୍ୟମରେ ତାଙ୍କୁ DGP ଚୟନ ପାଇଁ UPSCକୁ ପଠାଯାଇଥିବା ପ୍ୟାନେଲରେ ସାମିଲ କରିବାର ପଥ ପ୍ରସ୍ତୁତ କରାଯାଇଥିବା ସେ ଦାବି କରିଥିଲେ।

ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। DGP ଚୟନରେ କୌଣସି ନିୟମ ଉଲ୍ଲଂଘନ ହୋଇନଥିବା ସେ କହିଥିଲେ। ଏହାସହ ସେ ଏକ ସେବା ସମ୍ବନ୍ଧୀୟ ବିବାଦରେ PILର ଗ୍ରହଣୀୟତା ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ।

➡️PILର ଗ୍ରହଣୀୟତା ନେଇ କୋର୍ଟଙ୍କ ପ୍ରଶ୍ନ

ଖଣ୍ଡପୀଠ ମଧ୍ୟ PILର maintainability ବା ଗ୍ରହଣୀୟତା ନେଇ ପ୍ରଶ୍ନ ଉଠାଇଥିଲେ। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ପ୍ରଶ୍ନ କରିଥିଲେ ଯେ, ଏହି ଚୟନ ପ୍ରକ୍ରିୟାରେ ପ୍ରଭାବିତ କୌଣସି ଅଧିକାରୀ ସିଧାସଳଖ କୋର୍ଟର ଦ୍ୱାରସ୍ଥ ହୋଇନଥିବା ବେଳେ PIL ମାଧ୍ୟମରେ ମାମଲା କିପରି ଗ୍ରହଣୀୟ ହେବ?

ତେବେ ଏହି ମାମଲାରେ ପ୍ରକାଶ ସିଂହ ମାମଲାର amicus curiae ଭାବେ ଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନଙ୍କ ମତାମତ ନେଇଥିଲେ ଖଣ୍ଡପୀଠ।

➡️ଆବେଦନକାରୀଙ୍କ ପକ୍ଷକୁ ସମର୍ଥନ କଲେ Amicus

ରାମଚନ୍ଦ୍ରନ୍ ଆବେଦନକାରୀଙ୍କ ଯୁକ୍ତିକୁ ସମର୍ଥନ କରିଥିଲେ। DGP ଚୟନ ପ୍ରକ୍ରିୟାରେ ପ୍ରକାଶ ସିଂହ ରାୟରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପାଳନ ହୋଇନଥିବା ସେ କହିଥିଲେ।

Amicusଙ୍କ ମତାମତକୁ ଗୁରୁତ୍ୱ ଦେଇ ଖଣ୍ଡପୀଠ UPSC ପକ୍ଷରେ ଉପସ୍ଥିତ ଆଇନଜୀବୀଙ୍କୁ ଚୟନ ବୈଠକ ସ୍ଥଗିତ ରଖିବାକୁ କହିଥିଲେ।

ଏହା ଫଳରେ ଓଡ଼ିଶାର ପରବର୍ତ୍ତୀ DGP କିଏ ହେବେ, ତାହା ନେଇ ଚାଲିଥିବା ପ୍ରକ୍ରିୟା ଏବେ ଅଗଷ୍ଟ ୧୮ର ସୁପ୍ରିମକୋର୍ଟ ଶୁଣାଣି ଉପରେ ନିର୍ଭର କରିବ। ଚୟନ ପ୍ରକ୍ରିୟାର ବୈଧତା, ପ୍ରକାଶ ସିଂହ ନିର୍ଦ୍ଦେଶର ପାଳନ ଏବଂ PILର ଗ୍ରହଣୀୟତା—ଏହି ତିନୋଟି ପ୍ରସଙ୍ଗ ଆଗାମୀ ଶୁଣାଣିରେ ଗୁରୁତ୍ୱ ପାଇବା ସମ୍ଭାବନା ରହିଛି।