ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): କୋରାପୁଟର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡ଼ର ମାମଲାରେ ଦୀର୍ଘ ୨୨ ବର୍ଷ ପରେ ରାୟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଅର୍ଜୁନ ଜାନିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ଭୁଲ୍ ବା ଅସତ୍ୟ ବୟାନ ଓ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ଯେ କୌଣସି ବିଶ୍ୱସନୀୟ ପ୍ରମାଣ ବିନା ଜଣେ ବ୍ୟକ୍ତିଙ୍କ ଜୀବନର ୨୨ ବର୍ଷ ନଷ୍ଟ ହୋଇଯାଇଛି। ବିଚାରପତି ଏସ୍. କେ. ସିଂହଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ “କେବଳ ସନ୍ଦେହ ଆଧାରରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା, ସ୍ୱୀକାରୋକ୍ତି ଆଦାୟ କରିବା ପାଇଁ କଠୋର ନିର୍ଯାତନା ଦେବା ଏବଂ ତା’ପରେ ସେହି ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ନ୍ୟାୟର ନୀତି ବିରୁଦ୍ଧ।
୨୦୦୪ ମସିହାରେ କୋରାପୁଟ ଜିଲ୍ଲାରେ କମଳା, ସୋନବାରୀ ଏବଂ ରତ୍ନାଇ ଆଦି ୩ ମହିଳାଙ୍କୁ ଅର୍ଜୁନ ଜାନି ହତ୍ୟା କରିଥିବା େନଇ ଥାନାରେ ଅଭିଯୋଗ େହାଇଥିଲା। ପୋଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ କରିଥିଲା। ଏହି ଘଟଣାରେ ଅର୍ଜୁନ ଜାନି ରାତି ପ୍ରାୟ ୧ଟାରେ ରତ୍ନାଇଙ୍କ ଉପରେ ଆକ୍ରମଣ କରିଥିବା ପୋଲିସ ଆଗରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ଏହି ପ୍ରତ୍ୟକ୍ଷଦର୍ଶୀଙ୍କ ଅାଧାରରେ ପୋଲିସ ଅର୍ଜୁନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ନିମ୍ନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ ଅର୍ଜୁନ ଜାନି। ସେ ଏହା ବିରୁଦ୍ଧରେ ହାଇକୋର୍ଟରେ ଅପିଲ୍ କରିଥିଲେ। କିନ୍ତୁ ୩,୧୫୭ ଦିନର ବିଳମ୍ବ ହେତୁ, କୋର୍ଟ ଏହି ଅପିଲ୍‌ର ଶୁଣାଣି ନ କରି ତାହାକୁ ଖାରଜ କରିଦେଇଥିଲେ। ସେତେବେଳକୁ ଜାନି ୧୨ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହିସାରିଥିଲେ। ତା’ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମଧ୍ୟ ଅପିଲ୍ ଦାଖଲରେ ୩,୭୦୩ ଦିନର ବିଳମ୍ବ ହୋଇଥିଲା। ସୁପ୍ରିମକୋର୍ଟ ଏହି ବିଳମ୍ବକୁ କ୍ଷମା ପ୍ରାର୍ଥନା କରିବା ସହ କହିଥିଲେ ଯେ ହାଇକୋର୍ଟ ଏହାକୁ ବିଚାରକୁ ନେବା ଉଚିତ୍ ଥିଲା। ଏହାସହ ସର୍ବୋଚ୍ଚ ଅଦାଲତ ତଦନ୍ତ ପ୍ରକ୍ରିୟାରେ ଥିବା ଅନେକ ତ୍ରୁଟି ମଧ୍ୟ ଦର୍ଶାଇଥିଲେ। ଯେପରିକି ପୋଲିସ୍ ଏହା ବୁଝାଇବାରେ ବିଫଳ ହୋଇଥିଲା ଯେ, କାହିଁକି ଜାନିଙ୍କ ଉପରେ ସିଧାସଳଖ ସନ୍ଦେହ ଉପୁଜି ଥିଲା ଏବଂ ଅନ୍ୟମାନଙ୍କ ଉପରେ କାହିଁକି ନୁହେଁ। ଏପରିକି ଜୋରଜବରଦସ୍ତ କଥା ଆଦାୟ ପାଇଁ ପୋଲିସ ତାଙ୍କୁ ମାଡ଼ ମାରିଥିଲା, ଯାହା ଯାହା ଆଇନଗତ ଭାବେ ଗ୍ରହଣୀୟ ନୁହେଁ। ସୁପ୍ରିମକୋର୍ଟ ପୁଣି କହିଥିଲେ ଯେ, କେବଳ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟକୁ ଆଧାର କରି ଦୋଷୀ ସାବ୍ୟସ୍ତ କରାଯାଇପାରିବ, କିନ୍ତୁ ଯେତେବେଳେ ତାହା ବିଶ୍ୱସନୀୟ, ସଙ୍ଗତପୂର୍ଣ୍ଣ ଏବଂ ଅନ୍ୟାନ୍ୟ ପରିସ୍ଥିତି ସହିତ ତାଳମେଳ ରଖୁଥିବ।ହେଲେ ଏହି କ୍ଷେତ୍ରରେ ସେପରି ହୋଇ ନ ଥିଲା।