ଦାତିଆ: ମଧ୍ୟପ୍ରଦେଶର ଦାତିଆ ଜିଲ୍ଲାରେ ଘଟିଛି ଏକ ହୃଦୟବିଦରକ ଘଟଣା । ଜଣେ ପୋଲିସ କର୍ମଚାରୀ ୬ ବର୍ଷର ଶିଶୁର ଗଳାକାଟି ହତ୍ୟା କରିଦେଇଛି ।
ଭୋକିଲା ଶିଶୁ ଜଣଙ୍କ ଜଣେ କନଷ୍ଟେବଳଙ୍କୁ ଟଙ୍କା ମାଗିବାରୁ ରାଗି ଯାଇ ଉକ୍ତ କନଷ୍ଟେବଳ ଜଣକ ଏହି ନୃଶଂସ କାଣ୍ଡ ଘଟାଇଛନ୍ତି ।
ପୋଲିସର ସୂଚନା ଅନୁସାରେ ଦାତିଆ ଜିଲ୍ଲାରୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଘଟଣା ଘଟିବାର ଅଳ୍ପ ସମୟ ମଧ୍ୟରେ ଅଭିଯୁକ୍ତ କନଷ୍ଟେବଳ ରବି ଶର୍ମାକୁ ଗିରଫ କରାଯାଇଛି । ଦାତିଆ ଜିଲ୍ଲା ପୋଲିସ ଅଧୀକ୍ଷକ ରବି ଶର୍ମାକୁ ଚାକିରୀରୁ ବରଖାସ୍ତ କରିବା ପାଇଁ ଭୋପାଳ ପୋଲିସ ମୁଖ୍ୟାଳୟକୁ ଚିଠି ଲେଖିଛନ୍ତି ।
ପୋଲିସର ସୂଚନା ଅନୁସାରେ, ୬ ବର୍ଷର ଶିଶୁ ମେ’ ୪ ତାରିଖରେ ନିଖୋଜ ହୋଇଯାଇଥିଲା । ଶିଶୁର ବାପା ଏକ ଛୋଟ ସେଲୁନ କରି ଗୁଜୁରାଣ ମେଣ୍ଟାନ୍ତି । ମେ’ ୫ ତାରିଖରେ ନିଖୋଜ ଶିଶୁର ପରିବାରଲୋକଙ୍କ ଅଭିଯୋଗ ପରେ ଦାତିଆ କୋତୱାଲୀରେ ଅପହରଣ ମାମଲା ରୁଜୁ କରାଯାଇଥିଲା । ସେହିଦିନ ଗ୍ବାଲିୟର ଜିଲ୍ଲାର ଜାନସୀ ରୋଡ୍ ଅଞ୍ଚଳରୁ ଜଣେ ଶିଶୁର ମୃତଦେହ ମିଳିଥିଲା । ସ୍ଥାନୀୟ ପୋଲିସ ମୃତଦେହର ଛାନଭିନ୍ କରିବା ପରେ ତାହା ନିଖୋଜ ଶିଶୁର ବୋଲି ଜଣାପଡିଥିଲା ।
ଅଭିଯୁକ୍ତ କନଷ୍ଟେବଳ ଜଣକ ଦାତିଆ ପଞ୍ଚଶୀଳ ନଗରରେ ଡ୍ୟୁଟି କରିବା ସମୟରେ ଶିଶୁଟି ବାରମ୍ବାର ତାଙ୍କୁ ଟଙ୍କା ମାଗିଥିଲା । ତେଣୁ କନଷ୍ଟେବଳ ଜଣଙ୍କ ଚିଡିଯାଇଥିଲେ । ପରେ ସେ ଶିଶୁଟିକୁ କାର୍ ନିକଟକୁ ଆଣି ଗଳା ଚିପି ହତ୍ୟା କରିଥିଲେ । ସେଠାରୁ ଶିଶୁର ଶବକୁ କାର୍ରେ ଗ୍ବାଲିୟର ନେଇ ସେଠାରେ ଏକ ଶୂନସାନ ସ୍ଥାନରେ ଫିଙ୍ଗିଦେଇଥିଲା ।
