
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜଣେ ଦିନ ମଜୁରିଆଙ୍କ ଘରେ ଦୁଇଟି ଫ୍ୟାନ୍ ଓ ବଲ୍ଭରେ ବିଲ୍ ଆସିଲା ୨.୫ ଲକ୍ଷ ଟଙ୍କା । ଆଉ ଇଲେକ୍ଟ୍ରିକ୍ ବିଲ୍ ପାଇବା ପରେ ଚିନ୍ତାରେ ପ୍ରେମ କୁମାର ଓ ତାଙ୍କ ପରିବାର। କାଳେ ଇଲେକ୍ଟ୍ରିକ୍ ବିଲ୍ ଭୁଲ୍ ହୋଇଯାଇଥିବ ସେଥିପାଇଁ ସେ ଇଲେକ୍ଟ୍ରିକ୍ ଅଫିସ୍ ବି ଯାଇଥିଲେ। ହେଲେ ଦଉଡ଼ି ଦଉଡ଼ି ନୟାନ୍ତ ହେଲେ ବି ବାବୁମାନେ ଶୁଣି ନଥିଲେ। ୨.୫ ଲକ୍ଷ ଟଙ୍କା ଦେବାକୁ ହେବ ବୋଲି କହିଥିଲେ। ଘଟଣା ହେଉଛି ହରିଆଣା ଫରିଦାବାଦର। ମାସକୁ ପ୍ରାୟ ୯ ହଜାର ଆୟ କରୁଥିବା ପରିବାର ୬ ମାସରେ ଅଢ଼େଇ ଲକ୍ଷ ଟଙ୍କାର ବିଲ୍ କେଉଁଠୁ ଆଣିବ ସେଇ ଚିନ୍ତାରେ ଘାଣ୍ଟି ହେଉଥିଲେ ପ୍ରେମ କୁମାର। ଶେଷରେ ଅନ୍ୟ ଉପାୟ ନ ପାଇ ରାଜ୍ୟ ବିଜୁଳି ମନ୍ତ୍ରୀଙ୍କୁ ଦେଖା କରିଥିଲେ।
ଏ ନେଇ ସେ କହିଥିଲେ ଯେ ତାଙ୍କର ଆୟ ଦିନକୁ ୩୦୦ ଟଙ୍କା ହୋଇଥିବା ବେଳେ ଦୁଇଟି ଫ୍ୟାନ୍ ଓ ଦୁଇଟି ବଲ୍ଭ ଛଡ଼ା ଅନ୍ୟ କୌଣସି ଇଲେକ୍ଟ୍ରିକ୍ ସାଧନ ନାହିଁ। କିନ୍ତୁ ବିଜୁଳି ବିଭାଗ ତାଙ୍କୁ ଦୁଇ-ତିନିଟା ବିଲରେ ୨.୫ ଲକ୍ଷ ଟଙ୍କା ବିଲ୍ ପଠାଇ ଟଙ୍କା ଦେବା ବାଧ୍ୟତାମୁଳକ ବୋଲି କହୁଛନ୍ତି।ତେବେ ଘଟଣା ବିଜୁଳି ବିଭାଗ ସାମ୍ନାକୁ ଆସିବା ପରେ ରତିଆ ଇଲେକ୍ଟ୍ରିସିଟିର ସବ୍ଡିଭିଜୋନାଲ ଅଫିସର କହିଛନ୍ତି ଯେ ବର୍ତ୍ତମାନର ମିଟର ରିଡିଂ ରିପୋର୍ଟକୁ ନେଇ ବିଲ୍ ଯାଇଛି। ତେବେ ଇଲେକ୍ଟ୍ରିକ ବ୍ୟବହାର ତୁଳନାରେ ବିଲ୍ ଅଧିକ ଯାଇଛି। ଏହାର ତଦନ୍ତ ହୋଇ ଉଚିତ୍ ବିଲ୍ ପଠାଯିବ ବୋଲି ସବ୍ଡିଭିଜୋନାଲ ଅଫିସର କହିଛନ୍ତି। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।