ବୌଦ୍ଧ(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ ଗଞ୍ଜେଇ ମାଫିଆଙ୍କ ପ୍ରାଦୁର୍ଭାବ ବଡ଼ିବାରେ ଲାଗିଛି। ପୋଲିସ ଡାଳେ ଡାଳେ ଗଲେ ମାଫିଆମାନେ ପତରେ ପତରେ ଯାଉଥିବା ଦେଖାଯାଇଛି। ପୋଲିସକୁ ଚକମା ଦେଇ ଅଭିନବ ଉପାୟରେ ଚାଲାଣ କରୁଛନ୍ତି ମାଫିଆ।  କିଏ କେଉଁ ବାଟରେ ଗଞ୍ଜେଇ ଚାଲାଣ କରୁଛି ଅନେକ ସମୟରେ ପୋଲିସ ତାର ଠିକଣା ପାଉନାହିଁ। ବେଳେ ପୋଲିସଙ୍କ ସହାୟତା ନେଇ ସହଜରେ ସୀମାପାର କରୁଛନ୍ତି ମାଫିଆ।   ଏବେ ଗଞ୍ଜେଇ ଚାଲାଣ ମାମଲାରେ ଚର୍ଚ୍ଚାରେ ବୌଦ୍ଧ ପୋଲିସ । ଗଞ୍ଜେଇ ମାଫିଆଙ୍କ ସହ ଜଣେ ପୂର୍ବତନ ଥାନା ଅଧିକାରୀଙ୍କ ସମ୍ପର୍କ ଥିବା ଅଭିଯୋଗକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ବୌଦ୍ଧ ଏସପି । ଅଭିଯୁକ୍ତ ପୂର୍ବତନ ଆଇଆଇସିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଏହି ଘଟଣାରେ ଗଞ୍ଜେଇ ମାଫିଆଙ୍କ ସହ ହୋଇଥିବା କଥିତ ହ୍ୱାଟସ୍ଆପ୍ ଚାଟ୍ ସାମ୍ନାକୁ ଆସିଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ସୂଚନା ଅନୁଯାୟୀ, ଗଞ୍ଜେଇ ଚାଲାଣରେ ସହଯୋଗ କରିଥିବା ଅଭିଯୋଗରେ ମନମୁଣ୍ଡା ଥାନାର ପୂର୍ବତନ ଆଇଆଇସିଙ୍କ ବିରୋଧରେ ବୌଦ୍ଧ ଏସପି କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ତଦନ୍ତ ସମୟରେ କଥିତ ଭାବେ ଗଞ୍ଜେଇ ମାଫିଆଙ୍କ ସହ ତାଙ୍କର ହ୍ୱାଟସ୍ଆପ୍ ଚାଟ୍ ସାମ୍ନାକୁ ଆସିଥିବା ଜଣାପଡ଼ିଛି । ଏହାକୁ ଆଧାର କରି ତାଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଛି । ନୋଟିସ୍‌ରେ ଧାର୍ଯ୍ୟ ସମୟ ମଧ୍ୟରେ ସନ୍ତୋଷଜନକ ଉତ୍ତର ଦେବାକୁ କୁହାଯାଇଛି । ଯଦି ଉତ୍ତର ସନ୍ତୋଷଜନକ ନ ହୁଏ, ତେବେ ତାଙ୍କ ବିରୋଧରେ ବିଭାଗୀୟ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ସ୍ପଷ୍ଟ କରିଛନ୍ତି । ତେବେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ଚାଲିଥିବା ବେଳେ ତଦନ୍ତ ରିପୋର୍ଟ ଓ ସ୍ପଷ୍ଟୀକରଣ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।