ସମ୍ବଲପୁର(ସତ୍ୟପାଠ ବ୍ୟୁରୋ): ନିଶା କାରବାର ରୋକିବା କ୍ଷେତ୍ରରେ ସମ୍ବଲପୁର ସହରର ଆଇଁଠାପାଲି ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା l ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ଏକ ବୋଲେରୋ ଗାଡ଼ି ସହ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ବୁର୍ଲା ଥାନା ଅନ୍ତର୍ଗତ କଣ୍ଟ୍ରାକ୍ଟର କଲୋନୀ ଗୁଆଲାପଡ଼ାର ବାବୁ ସାହେବ ରାୟଙ୍କ ପୁଅ ଅରବିନ୍ଦ ରାୟ (୨୫ ବର୍ଷ ) l ଆଇଁଠାପାଲି ଥାନା ଏସ.ଆଇ. ବାସୁଦେବ ସେଠଙ୍କ ନେତୃତ୍ୱରେ ପୋଲିସ ଟିମ୍ ଆଇଁଠାପାଲିର ତଳି ଛକ ନିକଟରେ ଏହି ଚଢ଼ଉ କରିଥିଲା l ସେହି ବାଟ ଦେଇ ଯାଉଥିବା ଏକ ବୋଲେରୋ ଗାଡ଼ିକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଗାଡ଼ି ଭିତରୁ ବିପୁଳ ପରିମାଣର ବିଦେଶୀ ମଦ ଓ ବିଅର ବୋତଲ ବାହାରିଥିଲା। ଗାଡ଼ି ଚାଳକଙ୍କୁ ମଦ ପରିବହନ ସମ୍ପର୍କିତ ବୈଧ କାଗଜପତ୍ର ମଗାଯାଇଥିଲେ ମଧ୍ୟ ସେ କୌଣସି କାଗଜପତ୍ର ଦେଖାଇପାରି ନଥିଲେ l ଏହାପରେ ଏସ.ଆଇ. ଶ୍ରୀ ସେଠ ଚୋରା ମଦ ସହ ବୋଲେରୋ ଗାଡ଼ିକୁ ଜବତ କରିଥିଲେ l ଏ ନେଇ ଆଇଁଠାପାଲି ଥାନାରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି l ଗାଡ଼ିରୁ ୧୦ କାର୍ଟୁନ୍ କିଙ୍ଗଫିସର ବିଅର , କାର୍ଲସବର୍ଗ ଏଲିଫେଣ୍ଟ ବିଅର, କିଙ୍ଗଫିସର କେନ୍ ବିଅର ୧ କାର୍ଟୁନ୍, ବଡ଼ୱାଇଜର ମ୍ୟାଗନମ୍ ବିଅର ୧ କାର୍ଟୁନ୍ (୧୨ଟି ୬୦୦ ମିଲିର ବୋତଲ), ଇମ୍ପେରିଆଲ ବ୍ଲୁ ହୁଇସ୍କି ୧ କାର୍ଟୁନ୍, ରୟାଲ ଷ୍ଟାଗ ହୁଇସ୍କି ୧ କାର୍ଟୁନ୍, ରୟାଲ ଷ୍ଟାଗ ହୁଇସ୍କି, ଆଇକନିକ୍ ହୁଇସ୍କି ୧ କାର୍ଟୁନ୍ (୪୮ଟି ୧୮୦ ମିଲିର ବୋତଲ), ମ୍ୟାକଡୋୱେଲ ଥ୍ରି ଏକ୍ସ ରମ୍ ୧ କାର୍ଟୁନ୍, ବ୍ଲାକ୍ ବାକାର୍ଡି ହୁଇସ୍କି ୧୦ଟି ସିଲ୍ ବୋତଲ, ଆଇକନିକ୍ ହ୍ୱାଇଟ୍ ହୁଇସ୍କି ୨୫ଟି ସିଲ୍ ବୋତଲ ଜବତ କରାଯାଇଛି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଥିବାବେଳେ ଏହି ମଦ କେଉଁଠୁ ଅଣାଯାଉଥିଲା ଏବଂ ଏହା ପଛରେ ଆଉ କାହାର ହାତ ରହିଛି, ସେହି ବିଷୟରେ ଖୋଲତାଡ଼ ଜାରି ରଖିଛି ପୋଲିସ l
