ବ୍ରହ୍ମପୁର, (ସତ୍ୟପାଠବ୍ୟୁରୋ)- ଗଞ୍ଜାମ ଜିଲ୍ଲାରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ପୂର୍ବରୁ ପୋଡ଼ମ୍ପେଟା ଅଞ୍ଚଳକୁ ଗ୍ରାସ କରିବା ପରେ ଏବେ ଆର୍ଯ୍ୟପଲ୍ଲୀରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଗତ ତିନି ଦିନ ଭିତରେ ସମୁଦ୍ରର ପ୍ରବଳ ଲହଡ଼ି ମାଡ଼ରେ ତିନି ତିନୋଟି ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ସମୁଦ୍ରର ଏଭଳି କରାଳ ରୂପ ଦେଖି ସ୍ଥାନୀୟବାସୀ ଭୟଭୀତ ହୋଇପଡ଼ିଛନ୍ତି ।

କେ. ଆର୍ଯ୍ୟପଲ୍ଲୀ ଗାଁରୁ ମେରାଇନ୍ ଥାନାକୁ ଯାଇଥିବା ମୁଖ୍ୟ ରାସ୍ତା ସମୁଦ୍ରର ଭୟଙ୍କର ଲହଡ଼ିରେ ଧୋଇଯାଇଛି । ଫଳରେ ଗାଁ ସହ ମେରାଇନ୍ ଥାନାର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ପରେ ଏବେ ଗ୍ରାମର ଶ୍ମଶାନ ନିକଟରେ ସମୁଦ୍ର ଲହଡ଼ି ସିଧାସଳଖ ପିଟିହେଉଥିବାରୁ ସମ୍ପୂର୍ଣ୍ଣ ଗାଁ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ସ୍ଥାୟୀ ସମାଧାନ ଆଉ ତୁରନ୍ତ ସୁରକ୍ଷା ପାଚେରୀ ବା ପଥର ପ୍ୟାକିଂ ପାଇଁ ଦାବି ଜୋର୍ ଧରିଛି।

ସେପଟେ ସମୁଦ୍ର କୂଳରେ ଥିବା ଆର୍ମି AD କଲେଜ ଓ IRE ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ନିକଟରେ ଥିବା ଗାଁ ଗୁଡିକ ମଧ୍ୟ ଆମ ପାଇଁ ଗୁରୁତୱପୂର୍ଣ୍ଣ। ଗୋଳାବନ୍ଧ ନିକଟରେ ଥିବା ଗାଁ ଗୁଡିକ ପାଇଁ ୮୦କୋଟି ଟଙ୍କାର ଏକ ବଜେଟ କରାଯାଇ ସେମାନଙ୍କୁ ଥଇଥାନ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ସଂଗ୍ରାମ କେଶରୀ ମହାପାତ୍ର।