ନୂଆଦିଲ୍ଲୀ (ସତ୍ୟପାଠବ୍ୟୁରୋ): ବିଶ୍ବ ବନ୍ଧୁକଚାଳନା ପାରା କ୍ରୀଡ଼ା ପ୍ରତିଯୋଗିତାରେ ଭାରତକୁ ମିଳିଛି ଦୁଇଟି ପଦକ। ଭାରତୀୟ ବନ୍ଧୁକଚାଳିକା ମୋନା ଅଗ୍ରୱାଲ ରୌପ୍ୟ ଏବଂ ଆଭାନୀ ଲେଖାରା କାଂସ୍ୟ ପଦକ ଜିତିଛନ୍ତି । ମହିଳା ଏସ୍ଏଚ୍୧ ୧୦ ମିଟର ଏୟାର ରାଇଫଲ୍ ଷ୍ଟାଣ୍ଡିଂ ଇଭେଣ୍ଟରେ ମୋନା ୨୫୦.୦ ପଏଣ୍ଟ ସହ ଦ୍ବିତୀୟ ଏବଂ ଆଭାନୀ ୨୨୯.୪ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହି ପୋଡିୟମ୍ ଫିନିସ୍ କରିଛନ୍ତି । ସର୍ବିଆର କ୍ରିଷ୍ଟିନା ତ୍ରିଫୁନୋଭିକ୍ ୨୫୦.୨ ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ମୋନାଙ୍କ ପାଇଁ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ । ଗତବର୍ଷ ଏହି ସମାନ ସ୍ଥାନରେ ଆୟୋଜିତ ବିଶ୍ବକପ୍ରେ ସେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଆଭାନୀ ଲେଖାରାଙ୍କର ମଧ୍ୟ ଏହା ପ୍ରଥମ ବିଶ୍ବ ପ୍ରତିଯୋଗିତା ପଦକ ।
