ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଦିନ ରାତି ଏକ କରି ଶାଢ଼ିଟିଏ ବୁଣି ଥାଏ ବୁଣାକାର। ରଙ୍ଗବୁଡ଼ାଠାରୁ ଆରମ୍ଭ କରି ଲୁମ୍ ରୁ ବାହାରିବା ଯାଏ ପ୍ରତି ଶାଢ଼ୀର ଥାଏ ନୂଆ ନୂଆ କାହାଣୀ। ବରଗଡ଼, ବରପାଲି, ନୂଆପାଟଣା, କଳାହାଣ୍ଡି, କୋଟପାଡ଼ର ଛୋଟ ଛୋଟ ତନ୍ତ ଘରେ ବୁଣାଯାଉଥିବା ସେହି କାହାଣୀ ଆଜି ଭାରତର ସୀମା ଡେଇଁ ବିଶ୍ୱ ଫ୍ୟାସନ୍ ମଞ୍ଚରେ ପହଞ୍ଚିଛି । ଏକଦା କେବଳ ପର୍ବପର୍ବାଣୀରେ ଓଡ଼ିଆଙ୍କ ପରିଚୟ ଥିବା ସମ୍ବଲପୁରୀ, ବୋମକେଇ, ଖଣ୍ଡୁଆ, ହାବସପୁରୀ, କୋଟପାଡ଼ ବସ୍ତ୍ର ଆଜି ବିଶ୍ୱର ଫ୍ୟାସନ ପ୍ରମୀଙ୍କ ଆକର୍ଷଣ ପାଲଟିଛି । ଆସନ୍ତା ନଭେମ୍ବରରେ ଲଣ୍ଡନରେ ହେବାକୁ ଯାଉଛି ଇଣ୍ଡିଆ ଫ୍ୟାସନ୍ ଉଇକ୍ ଲଣ୍ଡନ-୨୦୨୬ । ଯେଉଁଥିରେ ଯୁବ ଫ୍ୟାସନ୍ ଡିଜାଇନର ସୁଜିତ ମେହେର କଳାହାଣ୍ଡିର ହାବସପୁରୀ ଓ ସମ୍ବଲପୁରୀର ସ୍ୱତନ୍ତ୍ର କଲେକସନକୁ ଉପସ୍ଥାପନ କରିବେ ।
ପ୍ରଥମ ଥର ପାଇଁ ଓଡ଼ିଶାର ହାବସପୁରୀ ହସ୍ତତନ୍ତ ଫ୍ୟାସନ୍ ମଞ୍ଚରେ ପହଞ୍ଚିବ । ମୁଖ୍ୟତଃ ସମ୍ବଲପୁରୀ ପାଟରେ ତିଆରି ହୋଇଥିବା ଲେହେଙ୍ଗା ଏଥିରେ ଉପସ୍ଥାପିତ ହେଉଥିବା ବେଳେ ହାବସପୁରୀ ଶାଢି ଆକାରରେ ପ୍ରଦର୍ଶିତ ହେବ । ଏହାକୁ ନେଇ ସୁଜିତ କୁହନ୍ତି, ଇଣ୍ଡିଆ ଫ୍ୟାସନ୍ ଉଇକ୍ ଲଣ୍ଡନ ୨୦୨୬ରେ ଆମ ହସ୍ତତନ୍ତକୁ ପହଞ୍ଚାଇବାର ଏହା ମୋର ଛୋଟ ପଦକ୍ଷେପ । ହାବସପୁରୀ ଯେମିତି ଲୋପ ହୋଇଯାଇଥିଲା ଏହା ଗୋଟେ ଆଶା ଯୋଗେଇବ ଆମ ଯୁବପିଢିମାନଙ୍କୁ । ଏହା ଦ୍ୱାରା ଆମର ରୋଜଗାର ସୃଷ୍ଟି ହୋଇପାରିବ ।
ପୂର୍ବରୁ ହସ୍ତତନ୍ତକୁ ଯେଉଁଠି କେବଳ ବୟସ୍କ ଲୋକଙ୍କ ପରିଧାନ ହିସାବରେ ଜଣାଯାଉଥିଲା ସେପରି ଚିନ୍ତାଧାରାରେ ଏବେ ପରିବର୍ତ୍ତନ ଆସିଛି । ଆଜିର ଜେନ-ଜି ମଧ୍ୟ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏହିଭଳି ଭାବେ ରାଜ୍ୟ ଓ ଦେଶ ବାହାରେ ଓଡ଼ିଶାର ହସ୍ତତନ୍ତ ବେଶ୍ ଆଦର ସାଉଁଟୁଛି । ରାଜ୍ୟ ସରକାର ମଧ୍ୟ ଓଡ଼ିଶା ହସ୍ତତନ୍ତକୁ ‘ଲୋକାଲ ଟୁ ଗ୍ଲୋବାଲ’ କରିବାକୁ ବିଶେଷ ଗୁରୁତ୍ୱ ଦେଉଛନ୍ତି ।
ସେଥିପାଇଁ ମୁଖ୍ୟତଃ ବୁଣାକାରମାନଙ୍କୁ ଫ୍ରାନ୍ସ, ଜାପାନ, ଆମେରିକା, ସିଙ୍ଗାପୁରରେ ଆୟୋଜିତ ହେଉଥିବା ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବା, ଇ-କମର୍ସ ସହ ଯୋଡ଼ିବା ଉପରେ ପ୍ରାଧାନ୍ୟ ଦିଆଯାଉଛି । ଭାରତର ବିଭିନ୍ନ ରାଜ୍ୟ ସମେତ ଦୁବାଇ, ଆମେରିକାର ସାନଫ୍ରାନସିସ୍କୋ, ଲଣ୍ଡନ, ଜେରୁଜେଲମରେ ଆୟୋଜିତ ଅନ୍ତର୍ଜାତୀୟ ପ୍ରଦର୍ଶନୀରେ ଓଡ଼ିଶା ହସ୍ତତନ୍ତର କାରିଗରୀ କୌଶଳକୁ ଉପସ୍ଥାପନ କରିଥିବା ବିଶିଷ୍ଟ ବାନ୍ଧ ଶିଳ୍ପୀ ଡ. ସୁରେନ୍ଦ୍ର ମେହେର କହନ୍ତି, ମୁଁ ଦେଶ ବାହାରେ ମୁଖ୍ୟତଃ ଲାଇଭ୍ ଡେମୋନଷ୍ଟେସନ କରିଥାଏ ।
ଯାହାଦ୍ୱାରା ବିଦେଶର ଲୋକମାନେ ଆମ ହସ୍ତତନ୍ତ ବିଷୟରେ ଅଧିକ ଜାଣିବାକୁ ପାଆନ୍ତି । ଆମେରିକାରେ ଏହାକୁ ବହୁତ ପସନ୍ଦ କରୁଛନ୍ତି । ଏହି ଅନ୍ତର୍ଜାତୀୟ ଫେଷ୍ଟିଭାଲ ଗୁଡ଼ିକରେ ସାମିଲ ହେବା ଦ୍ୱାରା ଆମ କଳାକାରମାନଙ୍କ ପରିଶ୍ରମ ଓ ଏହାର ମହତ୍ତ୍ୱକୁ ଲୋକମାନେ ବେଶ୍ ଭଲ ଭାବେ ବୁଝୁଛନ୍ତି । ଯାହାଦ୍ୱାରା ବିଦେଶୀମାନେ ଆମ ଜିନିଷକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସେଥିପାଇଁ ଆଜି ବିଶ୍ୱଦରବାରରେ ଆମ ହସ୍ତତନ୍ତ ପ୍ରସିଦ୍ଧି ଲାଭ କରିପାରୁଛି ଏବଂ ବିକ୍ରି ମଧ୍ୟ ବଢୁଛି ।
