ଦେଶରେ କରୋନା ସଂକ୍ରମଣ ତାଣ୍ଡବ ରଚୁଥିବା ବେଳେ, ମୁତ୍ୟୁ ସଂଖ୍ୟା ଆକାଶ ଛୁଆଁ ରହୁଥିଲା । ତେବେ ଏହାରି ମଧ୍ୟରେ ଆଶ୍ୱସ୍ତି କଲା ଭଳି ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସଂକ୍ରମଣ ବଢିଥିଲେ ସୁଦ୍ଧା ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା କମ ଥିବା କହିଛି ସ୍ଵାସ୍ଥ୍ୟ ମନ୍ତ୍ରାଳୟ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଟିକା ପ୍ରଭାବ ଦେଖାଇଛି । ଫଳରେ ମୃତ୍ୟୁ ସଂଖ୍ୟା କମିଛି ।

ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯେଉଁ ତଥ୍ୟ ଦେଇଛି, ତାହା ନିଶ୍ଚିତ ଭାବେ ଆଶ୍ୱସ୍ତି ଆଣିଦେବ । ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ଦେଶରେ ଅଧିକ ଆକ୍ରାନ୍ତ ହେଉଛନ୍ତି, କିନ୍ତୁ ଡାକ୍ତରଖାନାରେ ଶଯ୍ୟା ଖାଲି ପଡିବା ସହ ମୃତ୍ୟୁ ସଂଖ୍ୟା ବହୁତ କମ ରହୁଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ କହିବା ଅନୁସାରେ, ୨୦ ଜାନୁଆରୀ ୨୦୨୨ ସୁଦ୍ଧା କୋଭିଡରେ ମାତ୍ର ୩୮୦ ମୃତ୍ୟୁ ହୋଇଛି । ସେହି ଅନୁସାରେ ତୁଳନା କଲେ, ୨୦୨୧ ଏପ୍ରିଲ ୩୦ ସୁଦ୍ଧା ୩ହଜାର ୫୯ ଲୋକ କୋଭିଡରେ ପ୍ରାଣ ହରାଇଥିଲେ । ବର୍ତ୍ତମାନ ଆକ୍ଟିଭ ମାମଲା ୧୯ ଲକ୍ଷରୁ ଅଧିକ ରହିଛି । ୨୦୨୧ ଏପ୍ରିଲରେ ଆକ୍ଟିଭ ମାମଲା ୩୧ଲକ୍ଷରୁ ଅଧିକ ରହିଥିଲା । ତେବେ ବଡ କଥା ହେଲା ଦେଶରେ ଆକ୍ଟିଭ କେସରେ ଓଡିଶା ପ୍ରମୁଖ ୧୦ଟି ରାଜ୍ୟ ମଧ୍ୟରେ ରହିଛି ।

ଜାନୁଆରୀ ୧୬ ୧୧୧୭୭
ଜାନୁଆରୀ ୧୭ ୧୦୪୮୯
ଜାନୁଆରୀ ୧୮ ୧୧୦୮୬
ଜାନୁଆରୀ ୧୯ ୧୧୬୦୭
ଜାନୁଆରୀ ୨୦ ୧୦୩୬୮
ଏହି ତଥ୍ୟକୁ ଦେଖିଲେ ସ୍ପଷ୍ଟ ହେଉଛି ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । ପ୍ରଥମେ ଯେଉଁ ଗତିରେ ସଂକ୍ରମଣ ବଢୁଥିଲା ତାହା ଆପାତଃ କମିଯାଇଛି । ସବୁଠାରୁ ଆଶ୍ୱାସନାର କଥା ହେଲା ସ୍ୱାସ୍ଥ୍ୟ ସେବା ଉପରେ ଚାପ ପଡିନାହିଁ । ଅକ୍ସିଜେନର ଆବଶ୍ୟକତା ପଡୁନଥିବାବେଳେ ଆଇସିୟୁ ଫାଙ୍କା ପଡିଛି । ଆକ୍ଟିଭ ମାମଲା ୮୮ ହଜାର ଥିବାବେଳେ ଡାକ୍ତରଖାନାରେ ଅଛନ୍ତି ମାତ୍ର ୧୨୩୦ ରୋଗୀ । ସଂକ୍ରମଣ ଅଧିକ ଥିବା ସୁନ୍ଦରଗଡ, ଖୋର୍ଦ୍ଧା, କଟକ ଓ ସମ୍ବଲପୁରରେ ସର୍ଭେଲାନ୍ସ ବଢାଇବାକୁ କୁହାଯାଇଛି । ଏଭଳି ସମୟରେ ଟିକାକରଣ ଶେଷ କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି ।