ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦିନ ଓ ନୂଆବର୍ଷ ପାଇଁ ଲାଗିଲା କଟକଣା, ୨୯ଟି ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା

ଆଗକୁ ଆସୁଛି ବଡଦିନ ଓ ନୂଆବର୍ଷ | ତେବେ ବଢୁଥିବା ସଂକ୍ରମଣ ମଧ୍ୟରେ ଆଗୁଆ ସଚେତନତା ଅବଲମ୍ବନ କରିଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନ | ଆସନ୍ତା ୨୫ ତାରିଖ ବଡଦିନଠାରୁ ଜାନୁଆରୀ ୨ ତାରିଖ ନୂତନ ବର୍ଷ ପାଳନ ପର୍ଯ୍ୟନ୍ତ ଜିଲ୍ଲାର ୨୩ଟି ପ୍ରସିଦ୍ଧ ମନ୍ଦିର ଓ ୬ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯିବା ସହ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।

ମନ୍ଦିରରେ ସମାବେଶ, ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ, ଜନଗହଳି ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଲଗାଯାଇଛି । ଜିଲ୍ଲା ଦେବୋତ୍ତର ନିର୍ବାହୀ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ଅନୁରୋଧ ଅନୁସାରେ ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍ ସରୋଜ କୁମାର ସେଠୀ ଜିଲ୍ଲାରେ ଥିବା ମଠ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ୟୁ/ଏସ୍ ୧୪୪ ସିଆରପିସି ୧୯୭୩ ଅନୁସାରେ ଏହି ନିଷେଧାଜ୍ଞା ଜାରି କରାଯାଇଛି ।

ଜିଲ୍ଳାରେ ଥିବା କପିଳାସର ଶ୍ରୀଶ୍ରୀ ଚନ୍ଦ୍ରଶେଖରଜୀଉ ପୀଠ, ଲତାଦେଇପୁରସ୍ଥିତ ଊନ୍ନକୋଟିଶ୍ୱର ମନ୍ଦିର, ସହରର ବଳରାମଜୀଉ ମନ୍ଦିର, ବଡନାଗେନାସ୍ଥିତ ନାଗନାଥେଶ୍ୱର, ଗଙ୍ଗାଧରପ୍ରସାଦସ୍ଥିତ ପଶ୍ଚିମେଶ୍ୱର, କାମାକ୍ଷାନଗରସ୍ଥିତ ରାମେଶ୍ୱର ମନ୍ଦିର, ହାଟୁଆରୀର କପିଳେଶ୍ୱର, ଶିବୁଳାପଶି ସ୍ୱପ୍ନେଶ୍ୱର ମନ୍ଦିର, ଭୁବନର ବୁଦ୍ଧେଶ୍ୱର ମନ୍ଦିର, କୁଆଳୋ ଅଷ୍ଟଶମ୍ଭୁ ସ୍ୱପ୍ନେଶ୍ୱର ମନ୍ଦିର, ବାଲିମୀ ଅଞ୍ଚଳରେ ଥିବା ରଞ୍ଜାଗୋଳ ଶିବ ମନ୍ଦିର, ରକୋଳାର କୁଣ୍ଡେଶ୍ୱର ମନ୍ଦିର, ମହାତଲାର ମାତଳେଶ୍ୱର ମନ୍ଦିର, ଚିତ୍ତଲପୁରର ଉଗ୍ରେଶ୍ୱର ମହାଦେବ ମନ୍ଦିର, ନାଧରାସ୍ଥିତ ଗୋ-କନକେଶ୍ୱର ଏବଂ ରାମଚଣ୍ଡି ମନ୍ଦିର ଆଦି ୨୩ ମନ୍ଦିର ସମେତ ଢେଙ୍କାନାଳ ସଦର ବ୍ଲକ୍ ସପ୍ତଶଯ୍ୟା, କାମାକ୍ଷାନଗର ରାମିଆଳନଦୀ ସାଇନ୍ସ ସ୍ପଟ୍‌, ଗୁଣ୍ଡିଚାନାଳି ନଦୀକୂଳ, କଙ୍କଡାହାଡର ଦଣ୍ଡାଧର ଜଳପ୍ରପାତ, ପରଜଙ୍ଗର ଦଦରାଘାଟି ଜଳପ୍ରପାଦ ଓ ରାସୋଳର ସାପୁଆ ଜଳପ୍ରପାତ ଆଦି ପର୍ଯ୍ୟଟନସ୍ଥଳୀ ଗୁଡିକରେ ୮ ଦିନ ପାଇଁ ୧୪୪ ଧାରା ଲାଗିଛି । ଏହି ସ୍ଥାନଗୁଡିକରେ ଯେଭଳି ଜନସମାଗମ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ବ୍ଲକ୍‌ର ବିଡିଓ, ସ୍ଥାନୀୟ ପୁଲିସ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Related Posts