ବଲାଙ୍ଗୀର(ସତ୍ୟପାଠ ବ୍ୟୁରୋ): ବଲାଙ୍ଗୀର ଜିଲ୍ଲାର ତୁଷୁରା-ଦେଓଗାଁ ରାସ୍ତା ଏବେ ଗଞ୍ଜେଇ କରିଡ଼ର ପାଲଟିଛି। ପ୍ରତିଦିନ ଏହି ରାସ୍ତାରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଛି । ଆଜି ତୁଷୁରା ପୋଲିସ ଚଢ଼ଉ କରି ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି । ତୁଷୁରା ଥାନା ଯାମୁଟ-ଗୁଡଭେଲା ରାସ୍ତା ଉପରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଓଡ଼ି-୦୨-ଏଏଚ-୦୭୩୨ ପିକଅପ୍‌ ଗାଡ଼ି ରାସ୍ତା ଉପରେ ଛାଡ଼ି ଦେଇ ୨ ଜଣ ଗଞ୍ଜେଇ ମାଫିଆ ଫେରାର ହୋଇଯାଇଥିଲେ। ଏନେଇ ତୁଷୁରା ପୋଲିସ ଗାଡ଼ିକୁ ଯାଞ୍ଚ କରିବା ପରେ ଏଥିରେ ବସ୍ତା ବସ୍ତା ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଯାହାର ଓଜନ ପ୍ରାୟ ୬ କ୍ୱିଣ୍ଟାଲ ୧୯ କେଜି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗଞ୍ଜେଇ ଓ ଗାଡିକୁ ଜବତ କରି ତଦନ୍ତ କରୁଛି ।