ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ) ସାଟେଲାଇଟ ଚିତ୍ରରୁ ବାଦଲ ଅଦୃଶ୍ୟ। ଧୀରେ ଧୀରେ ମୌସୁମୀ ଦୁର୍ବଳ ହେଉଥିବାବେଳେ ଦେଶରେ ଗମ୍ଭୀର ସଙ୍କଟ ଦେଖାଯାଇଛି। ସାରା ଦେଶରେ ମୌସୁମୀ ସଙ୍କଟ ଗଭୀର ହେଉଥିବା ବେଳେ ବର୍ଷାର ଅଭାବ ୪୦ ପ୍ରତିଶତକୁ ପହଞ୍ଚିଛି। IMD ର ତଥ୍ୟ ଅନୁଯାୟୀ ମଧ୍ୟ ଓ ପଶ୍ଚିମ ଭାରତର ଅନେକ ଅଞ୍ଚଳରେ ମେଘ ପ୍ରାୟ ଅଦୃଶ୍ୟ ହୋଇପଡ଼ିଛି। ଏହି ପରିସ୍ଥିତି ଖରିଫ ଚାଷ ଓ ଚାଷୀଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇପାରେ। ଆକାଶରୁ ଗାୟବ ହୋଇଯାଇଛନ୍ତି ମେଘ, ଫଳରେ ସମଗ୍ର ଭାରତରେ ବର୍ଷାର ଅଭାବ ପ୍ରାୟ ୪୦ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଜୁନ୍ ୧୭ ତାରିଖ ସକାଳେ INSAT-3DS ସାଟେଲାଇଟ୍ରୁ ମିଳିଥିବା ଚିତ୍ର ଅନୁଯାୟୀ, ମଧ୍ୟ ଓ ପଶ୍ଚିମ ଭାରତର ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ରହିଛି। ବିଶେଷ କରି ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ମୌସୁମୀ ବାୟୁ ଅତି ଦୁର୍ବଳ ହୋଇପଡ଼ିଛି। ସାଧାରଣତଃ ଏହି ସମୟରେ ଦେଶର ମୁଖ୍ୟ କୃଷି ଅଞ୍ଚଳରେ ଯେଉଁଭଳି ମେଘମାଳା ଦେଖାଯିବା କଥା, ତାହା ଏବେ କେବଳ ବଙ୍ଗୋପସାଗର, ଉତ୍ତର-ପୂର୍ବ ଭାରତ ଏବଂ ଭାରତ ମହାସାଗର ମଧ୍ୟରେ ସୀମିତ ହୋଇ ରହିଛି। ଜୁନ୍ ୪ ରୁ ଜୁନ୍ ୧୭ ମଧ୍ୟରେ ସ୍ୱାଭାବିକ ବର୍ଷା ୬୫.୯ ମିଲିମିଟର ବଦଳରେ ମାତ୍ର ୩୯.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ୪୦% କମ୍। ରିପୋର୍ଟ ଅନୁଯାୟୀ ଗୁଜରାଟ ୯୮%, ମହାରାଷ୍ଟ୍ର ୭୯%, ମେଘାଳୟ ୮୫%, ଝାଡ଼ଖଣ୍ଡ ୬୬% ଏବଂ ଛତିଶଗଡ଼ରେ ୬୫% ଅଭାବୀ ବର୍ଷା ହୋଇଛି। ସେହିପରି ଓଡ଼ିଶା, କର୍ଣ୍ଣାଟକ, ତେଲେଙ୍ଗାନା, ବିହାର ଏବଂ ଆସାମରେ ମଧ୍ୟ ନିଅଣ୍ଟିଆ ବର୍ଷା ହୋଇଛି। ଜୁନ୍ ମାସରେ ସାଧାରଣତଃ ଖରିଫ ଚାଷ ପାଇଁ ଜମି ପ୍ରସ୍ତୁତି ଓ ବୁଣାବୁଣି କାମ ଜୋରସୋରରେ ଚାଲିଥାଏ। ମାତ୍ର ଓଡ଼ିଶା ସମେତ ଏହି ପ୍ରମୁଖ କୃଷିପ୍ରଧାନ ରାଜ୍ୟଗୁଡ଼ିକରେ ବର୍ଷାର ଏଭଳି ସାଙ୍ଘାତିକ ଅଭାବ ଚାଷୀକୂଳକୁ ଘୋର ଚିନ୍ତାରେ ପକାଇ ଦେଇଛି।
