ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି ସିଜେପି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି ସିଜେପି ପ୍ରତିଷ୍ଠାତା ଅଭିଜିତ୍ ଦୀପକେ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ଭିତରେ ୧୧ଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିବା ଘଟଣା ସାରା ଦେଶକୁ ଚକିତ କରିଦେଇଛି। ଏହି ସାଂଘାତିକ ସ୍ଥିତିକୁ ନେଇ ସିଜେପି (କକରୋଚ୍ ଜନତା ପାର୍ଟି)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଚିଠିରେ ସେ ବ୍ୟବସ୍ଥାର ବିଫଳତା ଯୋଗୁଁ ଜୀବନ ହାରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପରିବାରକୁ ୧କୋଟି ଟଙ୍କା ଲେଖାଏଁ ଆର୍ଥିକ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହ ଏଭଳି ସ୍ଥିତି ପାଇଁ ଦାୟିତ୍ବରେ ଥିବା ନେତୃତ୍ଵକୁ ଜବାବଦାର କରିବାକୁ ସେ କହିଛନ୍ତି। ଅଭିଜିତ୍ ଦୀପକେ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମୃତ ଛାତ୍ରଛାତ୍ରୀଙ୍କ ପରିବାରର ଆର୍ଥିକ ସ୍ଥିତି ଏବେ ସମ୍ପୂର୍ଣ୍ଣ ଭାରେ ଉଜୁଡ଼ି ଯାଇଛି। ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଅନେକ ପରିବାର ବଡ଼ ବଡ଼ ଶିକ୍ଷା ଋଣ ନେଇଥିଲେ, କିନ୍ତୁ ବ୍ୟବସ୍ଥାର ତ୍ରୁଟି କାରଣରୁ ସେମାନଙ୍କ ସ୍ଵପ୍ନ ଭାଙ୍ଗି ଚୁରମାର ହୋଇଯାଇଛି। ପୁଣିଥରେ ପରୀକ୍ଷା ଦେବାର ମାନସିକ ଚାପରେ ପିଲାମାନେ ଏଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଯଦି ସରକାର ଏବେ କୌଣସି ଦୃଢ଼ ପଦକ୍ଷେପ ନନିଅନ୍ତି, ତେବେ ଏହା ସାଧାରଣ ଲୋକଙ୍କ ବିଶ୍ଵାସ ଭାଙ୍ଗିଦେବ ଏବଂ ପ୍ରଶାସନ ଏହି ଭୁଲ ବ୍ୟବସ୍ଥାକୁ ଗ୍ରହଣ କରିନେଇଛି ବୋଲି ବାର୍ତ୍ତା ଯିବ। ଏହାକୁ ଜୁନ୍ ୨୧ ରେ ପୁଣିଥରେ କରିବାକୁ ଦିନ ଧାର୍ଯ୍ୟ ହୋଇଛି ଏବଂ ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ଏହି ସମୟ ଭିତରେ ଗୁଜରାଟ, ତାମିଲନାଡୁ, ରାଜସ୍ଥାନ, ଦିଲ୍ଲୀ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ଅନେକ ସ୍ଥାନରୁ ପିଲାଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ଯାହା ଅତ୍ୟନ୍ତ ଦୁଃଖଦ ବିଷୟ ବୋଲି ସେ କହିଛନ୍ତି।