ମୁମ୍ବାଇ,(ସତ୍ୟପାଠ ବ୍ୟୁରୋ) : ପୁଣି ଏକ ଜୀବନ ନେଇଛି ଏନଇଇଟି ପେପର ଲିକ୍ର କଳଙ୍କ। ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲାରେ ଜଣେ ୧୯ ବର୍ଷୀୟ ଛାତ୍ରୀ ଏନଇଇଟି ପୁନଃପରୀକ୍ଷାରେ ଆଶା ଅନୁଯାୟୀ ଭଲ ନମ୍ବର ରଖିପାରି ନ ଥିବାରୁ ନିଜ ଜୀବନ ହାରିଛନ୍ତି। ପୁନଃପରୀକ୍ଷାରେ ସେ ୧୧ ନମ୍ବର କମ୍ ରଖିବା ଯୋଗୁଁ ମେଡ଼ିକାଲ ପଢ଼ିବାରୁ ବଞ୍ଚିତ ହୋଇଥିଲେ। ରିପୋର୍ଟ ଅନୁସାରେ, ଛାତ୍ରୀ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ, ଯେଉଁଥିରେ ସେ ତାଙ୍କର ଡାକ୍ତର ହେବାର ଅଧୁରା ସ୍ୱପ୍ନ ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ ନୋଟ୍ରେ ଲେଖିଛନ୍ତି, ‘‘ମୋର ଡାକ୍ତର ହେବାର ସ୍ୱପ୍ନ ଅଧୁରା ରହିଗଲା। ତୁମେମାନେ ସବୁକିଛି ବଳିଦାନ ଦେଲ କିନ୍ତୁ ମୁଁ ଅସଫଳ ହେଲି। ଆଶା କରିଥିବା ନମ୍ବର ରଖିପାରି ନ ଥିବାରୁ ମୁଁ ହତାଶ ହୋଇଯାଇଛି। ମୋ ମୃତ୍ୟୁ ପାଇଁ ମୋ ବାପାମା ଅବା ଭାଇଙ୍କର କିଛି ଦୋଷ ନାହିଁ ।’’ ପୋଲିସର ସୂଚନା ଅନୁଯାୟୀ, ମୃତ ଛାତ୍ରୀ ଜଣକ କରଜତ ତାଲୁକାର ଜଲାଲପୁର ଗ୍ରାମର ବାସିନ୍ଦା ଥିଲେ। ସେ ମେ’ ୩ ତାରିଖରେ ଏନଇଇଟି ପରୀକ୍ଷା ଦେଇଥିଲେ ଏବଂ ପରେ ନୂତନ ପରୀକ୍ଷା ସୂଚୀ ଘୋଷଣା ହେବା ପରେ ଜୁନ ୨୧ ତାରିଖରେ ପୁନଃପରୀକ୍ଷା ଦେଇଥିଲେ। ଛାତ୍ରୀ ଜଣକ ଡାକ୍ତର ହେବାକୁ ଚାହୁଁଥିଲେ ଏବଂ ୩୦୦ରୁ ଅଧିକ ନମ୍ବର ରଖିବାକୁ ଆଶା କରିଥିଲେ, କିନ୍ତୁ ସେ ପୁନଃପରୀକ୍ଷାରେ ୧୬୬ ସ୍କୋର କରିଥିଲେ। ମାତ୍ର ଯୋଗ୍ୟତା ହାସଲ ପାଇଁ ୧୭୭ ଅଙ୍କର ଆବଶ୍ୟକତା ଥିଲା । ୧୧ ମ୍ବର କମ୍ ରଖିବାରୁ ସେ ଯୋଗ୍ୟତା ହାସଲ କରିପାରି ନଥିଲେ। ଯାହା ତାଙ୍କୁ ମାନସିକସ୍ତରରେ ଗଭୀର ଆଘାତ ଦେଇଥିଲା। ପୋଲିସ ଅନୁସାରେ, ଛାତ୍ରୀ ଜଣକ ତାଙ୍କ ପାଠପଢ଼ା ରୁମକୁ ଯାଇଥିଲେ। ଯେତେବେଳେ ବହୁତ ସମୟ ପର୍ଯ୍ୟନ୍ତ କୌଣସି ଶବ୍ଦ ଶୁଣାଯାଇ ନଥିଲା, ତାଙ୍କ ମାଆ ଦ୍ୱାର ଖୋଲି ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତଦନ୍ତ ସମୟରେ, ପୋଲିସ କୋଠରୀରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ପାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
