ନିର୍ବାଚନୀ ହିଂସା: ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲାରେ ଜଣେ ମୃତ

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ଆରମ୍ଭ ହୋଇଯାଇଛି ମତଗ୍ରହଣ ପକ୍ରିୟା | ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ୧୭ ହଜାର ୮୯ଟି ବୁଥରେ ମତଦାନ ସାବ୍ୟସ୍ତ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ତେବେ ମତଦାନ ସମୟରେ ଓ ମତଦାନ ପୂର୍ବରୁ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି |

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିରି ଅଞ୍ଚଳରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା | ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ | ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଛି | ଫଳରେ ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ବ୍ୟକ୍ତି ଜଣଙ୍କ ହେଲେ ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ |

ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ନିର୍ବାଚନ ପ୍ରଚାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା। କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଗତକାଲି ରାତିରେ ପ୍ରତାପ ଘରକୁ ଫେରୁଥିବା ବେଳେ ଗୋଟିଏ ଗୋଷ୍ଠୀର ଲୋକେ ତାଙ୍କୁ ବାଟରେ ଅଟକାଇ ଆକ୍ରମଣ କରିଥିଲେ। ପରେ ଅପରଗୋଷ୍ଠୀ ଲୋକେ ସେଠାରେ ପହଞ୍ଚି ଉଭୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲା ଭିତରେ ପ୍ରତାପ ତଳେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ଧାମନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଚପା ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଗାଁରେ ପୁଲିସ ମୃତୟନ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି |

Related Posts