ନିର୍ବାଚନ ପୁର୍ବରୁ ଦଳଡିଆଁ ପର୍ବ ଆରମ୍ଭ, ଶଙ୍ଖ ଧରିଲେ କ୍ରିଷ୍ଣା ମିଶ୍ର

ପୌର ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଦଳଡିଆଁ ପର୍ବ । ମହିଳା ଓ ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳ ଏବେଠାରୁ କସରତ ଆରମ୍ଭ କରିଦେଇଛନ୍ତି। ଦୁଇ ମାସ ହେଲା ଜଣଙ୍କ ପରେ ଜଣେ ୱାର୍ଡସ୍ତରୀୟ ନେତା କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି। ଏହି କ୍ରମରେ ଆଜି ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ଶତାଧିକ ମହିଳା ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ବରେ ଆସ୍ଥା ପ୍ରକଟ କରି ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଥିଲେ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଓଲିଉଡ୍‌ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ରଙ୍କ ପତ୍ନୀ ତଥା କଣ୍ଠଶିଳ୍ପୀ କ୍ରିଷ୍ଣା ମିଶ୍ର ମଧ୍ୟ ଦଳରେ ଯୋଗ ଦେଇଥିଲେ। ତାଙ୍କ ବ୍ୟତୀତ ବିଜେପି ନେତ୍ରୀ ଅମିତା ମହାନ୍ତି, ଜୟନ୍ତୀ ସ୍ବାଇଁ, ମାମାଲି ନାୟକ, ସରୋଜିନୀ ନାୟକ, ଲକ୍ଷ୍ମୀପ୍ରିୟା ଦାସଙ୍କ ସମେତ ବହୁ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇ ତୃଣମୂଳସ୍ତରରେ ଦଳକୁ ସୁଦୃଢ଼ କରିବାକୁ ଶପଥ ନେଇଛନ୍ତି।

Related Posts