ପଞ୍ଚାୟତ ନିର୍ବାଚନକୁ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ : ସତ୍ୟପାଠରେ ତଥ୍ୟ ଭୁଲ୍‌ ଥିଲେ ମିଳିବ ଦଣ୍ଡ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ | ତେବେ ତୃଣମୂଳ ସ୍ତରରେ ନିର୍ବାଚନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ପ୍ରସ୍ତୁତ ହୋଇଛି ଗେଜେଟ | ଫଳରେ ତୃଣମୂଳ ସ୍ତରରେ ମଇଦାନକୁ ଓହ୍ଲାଇବାକୁ ଥିବା ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ ସତ୍ୟପାଠ ଜରିଆରେ ନିଜ ସମ୍ପର୍କୀତ ତଥ୍ୟ ଦେବେ ।

ପରବର୍ତ୍ତୀ ସମୟରେ ଏହା ଭୁଲ୍‌ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଆଜି ଏହି ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛି ଆଇନ ବିଭାଗ।

ଆଇନ ବିଭାଗ ପକ୍ଷରୁ ପ୍ରକାଶିତ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ଏଣିକି ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ଏହି ନିୟମ କଡ଼ାକଡ଼ି ଲାଗୁ ହେବ। ସେମାନେ ନିଜ ନାଁରେ ଥିବା ଅପରାଧିକ ମାମଲା, ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି।

ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଏହି ତଥ୍ୟ ଦାଖଲ କରିବେ । ଏହାକୁ ସାର୍ବଜନୀନ କରାଯାଇ ଓ ସମସ୍ତ ତଥ୍ୟ ୱେବସାଇଟ୍‌ରେ ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବା ପ୍ରମାଣିତ ହେଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ଭୋଗିବାକୁ ପଡ଼ିବ । ଏନେଇ ଆଇନ ବିଭାଗ ପକ୍ଷରୁ ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଓଡ଼ିଶା ପଞ୍ଚାୟତ ଆଇନର ସଂଶୋଧନ କରାଯିବ।

Related Posts